କଲମା ବ୍ୟାରେଜ ତଳେ ବାଲିବନ୍ଧକୁ ତୁରନ୍ତ ହଟାଇ ମହାନଦୀ ବଞ୍ଚାଅର ଆହ୍ୱାନ ଦେଲେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ । ଛତିଶଗଡ଼ ମହାନଦୀରେ ନିର୍ମାଣ କରିଥିବା କଲମା ବ୍ୟାରେଜର ସବୁ ଗେଟ ବନ୍ଦ କରିଥିବା ବେଳେ ବ୍ୟାରେଜ ତଳ ମୁଣ୍ଡରେ ପୁଣି ଗୋଟିଏ ବେଆଇନ ବାଲି ବନ୍ଧ ନିର୍ମାଣ କରିଛି । ଯାହାକୁ ହଟାଇବା ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆହ୍ବାନ ଦେଇଛି । ପୂର୍ବରୁ ଏହାକୁ ଭାଙ୍ଗିବା ଲାଗି ସେଠାରେ ପହଞ୍ଚିଥିଲା ସଂଗଠନ । ହେଲେ ଗତକାଲି ରାଜସ୍ବ ମନ୍ତ୍ରୀଙ୍କ ପରାମର୍ଶ ପରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ସେଥିରୁ ଓହରି ଯାଇ ଏହାକୁ ହଟାଇବାକୁ ଆହ୍ବାନ ଦେଇଛି । ବାଲିବନ୍ଧ ନିର୍ମାଣ ପ୍ରତିବାଦରେ ଆଜି ମହାନଦୀ ବଞ୍ଚାଅର ଆବାହକ ସୁଦର୍ଶନ ଦାସଙ୍କ ଡେଲିଗେସନ ଛତିଶଗଡ଼ କଲମା ବ୍ୟାରେଜ ତଳମୁଣ୍ଡରେ ଥିବା ସେହି ବାଲିବନ୍ଧ ଗ୍ରାଉଣ୍ଡ ଜିରୋରେ ପହଂଚି ମହାନଦୀ ପାଇଁ ନ୍ୟାୟ ମାଗିଛନ୍ତି ।
ଆନ୍ଦୋଳନ କମିଟିର ସଭାପତି ସହ ଅନ୍ୟ କର୍ମକର୍ତ୍ତା ମାନେ ମିଳିତ ଭାବେ ସକାଳେ ଓଡ଼ିଶା ସୀମାବର୍ତ୍ତୀ କନକତୋରା ଠାରେ ଏକାଠି ହୋଇ କଲମା ବ୍ୟାରେଜ ଅଭିମୁଖେ ଯାତ୍ରା କରିଥିଲେ । ଗତକାଲି ରାଜସ୍ବ ମନ୍ତ୍ରୀ କହିଥିଲେ କି ମହାନଦୀ ବିବାଦର ସମାଧାନ ଲାଗି ସ୍ବତନ୍ତ୍ର କମିଟି ରହିଛି । ଏହାକୁ ନେଇ ରାଜ୍ୟ ରାଜ୍ୟ ଭିତରେ କଣ ଯୁଦ୍ଧ କରିବା ବୋଲି ପ୍ରଶ୍ନ କରିଥିଲେ । ପରାମର୍ଶ ଲାଗି ସରକାରଙ୍କୁ ଧନ୍ୟବାଦ ଜଣାଇବା ସହିତ ଆମେ ଆଇନର ପରିଧି ଭିତରେ ରହି କାମ କରିବାକୁ ଆସିଛୁ ବୋଲି କହିଛନ୍ତି ସୁଦର୍ଶନ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏକ ପତ୍ର ମାଧ୍ୟମରେ ସେହି ବାଲିବନ୍ଧକୁ ହଟାଇବା ପାଇଁ ଆମେ ଦାବି ଜଣାଇଛୁ ବୋଲି କହିଛନ୍ତି ସୁଦର୍ଶନ । ସେପଟେ କଂଗ୍ରେସ କହିଛି ମହାନଦୀ ବାଲିବନ୍ଧ ଭାଙ୍ଗିବା ଦରକାର । ଡବଲ ଇଞ୍ଜନ ସରକାର ମହାନଦୀ ସମସ୍ୟାର ସମାଧାନ କରୁ l ଓଡିଶାକୁ ଆଉ ପ୍ରତାରଣା ନଦେଉ l ସ୍ୱତନ୍ତ୍ର ପ୍ୟାକେଜ ଓଡିଶାକୁ ଦିଆଯାଉ l ରାଜ୍ୟ ସରକାର ତୁରନ୍ତ ପାଣି ରଖିବା ପାଇଁ ବ୍ୟାରେଜ ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ।

