ଭୁବନେଶ୍ବର : ଆରମ୍ଭ ହେଲା ଓ୍ବାନ ପ୍ୟାନ, ଓ୍ବାନ ଲାଇସେନ୍ସ ବ୍ୟବସ୍ଥା। ପୂର୍ତ୍ତ ବିଭାଗରେ ଠିକାଦାର ଡାଟାବେସ ସିଷ୍ଟମକୁ ଅଧିକ ସୁଦୃଢ କରାଯାଇଛି। କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ ୩.୦ରେ ଠିକାଦାର ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ଵଚ୍ଛ, ସରଳ ଓ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ତ୍ତ ବିଭାଗ ବ୍ୟତୀତ ଜଳସମ୍ପଦ, ଗୃହ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ ଏହି ବ୍ୟବସ୍ଥା ଆପଣାଇବେ। ୨୦୧୮ ମସିହାରେ ମାନୁଆଲ ପରିଚାଳନା ବ୍ୟବସ୍ଥା ଦୂର କରି ଇ-ଗଭର୍ଣ୍ଣାନ୍ସର ଅଂଶ ବିଶେଷ ଭାବେ CDMS ଆପ୍ଲିକେସନ ଆରମ୍ଭ ହୋଇଥିଲା। ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନୂଆ ଆପ୍ଲିକେସନର ଶୁଭାରମ୍ଭ କରିଥିବା ବେଳେ, ୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜାତୀୟ ରାଜପଥର ୨୯ଟି ପ୍ରୋଜେକ୍ଟ, ଓବିସିସିର ୨୧ ପ୍ରକଳ୍ପ, ରାସ୍ତା ବିଭାଜନର ୧୨ଟି ପ୍ରୋଜେକ୍ଟ, ୧୨ଟି ପୋଲ କାମର ସମୀକ୍ଷା ହୋଇଛି। ରାଜସ୍ବ ବିଭାଗ, ଶକ୍ତି ବିଭାଗ ଓ ଜଙ୍ଗଲ ବିଭାଗର ସମନ୍ବୟ ଅଭାବ ଯୋଗୁଁ ପ୍ରକଳ୍ପ ସରିବାରେ ବିଳମ୍ବ ହେଉଥିବାରୁ ଏହାକୁ ତ୍ବରାନିତ କରିବାକୁ ବିଭାଗୀୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଇ-ଆଇବି ଡିଜିଟାଲ ବୁକିଂ ପ୍ଲାଟଫର୍ମର ଶୁଭାରମ୍ଭ ହୋଇଛି। ପୂର୍ତ୍ତ ବିଭାଗ ଅଧୀନରେ ଭୁବନେଶ୍ୱର, ପୁରୀ ଓ କୋଣାର୍କରେ ଥିବା ଡାକବଙ୍ଗଳା ବୁକିଂ ଓ ଆବଣ୍ଟନ ପ୍ରକ୍ରିୟାକୁ ଇ-ଆଇବି ପ୍ଲାଟଫର୍ମ ସହଜ ଓ ସରଳ କରିବ। ଏହା ବିଭାଗ ଓ ସାଧାରଣ ଜନତାଙ୍କ ପାଇଁ ଲାଭପ୍ରଦ ହେବ। ଅନଲାଇନ ମାଧ୍ୟମରେ ରୁମ ବୁକିଂ ଓ ବାତିଲ ବ୍ୟବସ୍ଥା ସହ ବୁକିଂ ସମ୍ବନ୍ଧୀୟ ସୂଚନା ଯେ କୌଣସି ସ୍ଥାନରୁ ଜାଣିହେବ। ଆଗକୁ ରାଜ୍ୟର ସମସ୍ତ ପୂର୍ତ୍ତ ବିଭାଗର ଡାକବଙ୍ଗଳା ଏଥିରେ ଯୋଡ଼ିହେବ। ଇ-ଆଇବି ବୁକିଂ ବ୍ୟବସ୍ଥା ଠିକ୍ ଢଙ୍ଗରେ ଚାଲିଲେ ଅନ୍ୟ ବିଭାଗ ଗୁଡ଼ିକ ମଧ୍ୟ ଏହି ବ୍ୟବସ୍ଥାକୁ ଅନୁସରଣ କରିବେ ବୋଲି କହିଛନ୍ତି ମନ୍ତ୍ରୀ। ଲୋକସେବା ଭବନ କନଭେନସନ୍ ବୈଠକରେ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ଠିକାଦାର ଓ ଅନ୍ୟ ଏଜେନ୍ସି ମାନେ ମଧ୍ୟ ଯୋଗ ଦେଇଥିଲେ। ପ୍ରୋଜେକ୍ଟ ଠିକ୍ ସମୟରେ ସାରିବା ଉପରେ ଗୁରୁତ୍ବ ଦେଇଛନ୍ତି ସରକାର।

