ଭୁବନେଶ୍ବର : ରାଜ୍ଯସଭା ଚତୁର୍ଥ ଆସନ ସସପେନ୍ସ । ନବୀନଙ୍କୁ ଭେଟିବେ ଭକ୍ତ । ସଂଖ୍ୟାକୁ ନେଇ ସବୁ ଦଳର ଅଙ୍କକଷା । ବିଜେଡି କହିଲା, ସମୟ ଆସିଲେ ନେବୁ ନିଷ୍ପତ୍ତି । ସଂଖ୍ୟା ନାହିଁ, ହେଲେ ଆଶା ଅଧିକ । ରାଜ୍ୟସଭାର ଚତୁର୍ଥ ଆସନକୁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ହେଲେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଚତୁର୍ଥ ଆସନ ପାଇଁ ଦୁଇ ଦଳ ଅଙ୍କକଷା ଆରମ୍ଭ କରିଛନ୍ତି। ଉଭୟ ଦଳ ମୁଖ୍ୟ ବିରୋଧୀ ବିଜେଡିର ସମର୍ଥନ ଲୋଡିବାକୁ ଆଗଭର ହୋଇଛନ୍ତି । ଚତୁର୍ଥ ଆସନ ଲାଗି ଆମେ ବିଜେଡିକୁ ସମର୍ଥନ ମାଗିବୁ ବୋଲି କହିସାରିଛନ୍ତି ବିଜେପି ସାଂସଦ ବଳଭଦ୍ର ମାଝୀ । ଗଣତନ୍ତ୍ରରେ କାହାକୁ ଅନୁରୋଧ କରିବା କାହାକୁ ନିବେଦନ କରିବା କିଛି ଭୁଲ ନୁହେଁ ବୋଲି ସେ ଯୁକ୍ତି ବାଢିଥିଲେ । ବିଜେପି ପରେ ଏବେ କଂଗ୍ରେସ ପାଳି । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ରାଜ୍ୟସଭା ନିର୍ବାଚନ ଉପରେ ଆଲୋଚନା କରିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । ଫେବୁଆରୀ ପ୍ରଥମ ସପ୍ତାହରେ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ପିସିସି ସଭାପତି ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟକୁ ସମୟ ମାଗିଛନ୍ତି । । ଅନ୍ୟପଟେ ସଂଖ୍ୟା ନଥାଇ ମଧ୍ୟ ଯୋଗଣ ମନ୍ତ୍ରୀ କହିଛନ୍ତି ୪ଟି ଆସନ ବିଜେପି ହିଁ ନେବ । ରାଜନୀତିରେ ସବୁ ସମ୍ଭବ ବୋଲି ସେ କହିଛନ୍ତି ।
ଦୁଇ ଜାତୀୟ ଦଳ ଚତୁର୍ଥ ଆସନ ପାଇଁ ବିଜେଡିର ସହଯୋଗ ଲୋଡିବାକୁ ମନସ୍ଥ କରିବା ପରେ ବିରୋଧୀ ଦଳ ନେତାଙ୍କ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର ରହିଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ସମୟ ଆସିଲେ ନବୀନ ନିଷ୍ପତ୍ତି ନେବେ। ନଈ ନଦେଖି ଲଙ୍ଗଳା ହେବା ଉଚିତ ନୁହେଁ ବୋଲି କହି ଦୁଇ ଦଳକୁ ସେ କଟାକ୍ଷ କରିଛନ୍ତି । ଏପ୍ରିଲ ମାସରେ ଓଡିଶାର ୪ଟି ଆସନ ଖାଲି ପଡୁଥିବାରୁ ୨ଟି ଆସନରେ ବିଜେପି ଓ ଗୋଟିଏ ଆସନ ବିଜେଡି ହାତେଇବା ନିଶ୍ଚିତ। ଚତୁର୍ଥ ଆସନ ପାଇଁ ଦୁଇ ଜାତୀୟ ଦଳ ବିଜେଡିର ସହଯୋଗ ଚାହୁଁଛନ୍ତି । ଚତୁର୍ଥ ଆସନ ପାଇଁ ବିଜେଡି କିଙ୍ଗ ମେକର ସାଜିଥିବାରୁ ସମସ୍ତଙ୍କ ନଜର ଏବେ ବିଜେଡି ଉପରେ ।
ରାଜ୍ଯସଭା ଚତୁର୍ଥ ଆସନ ସସପେନ୍ସ, ବିଜେଡି ସାଜିବ କିଙ୍ଗ ମେକର !

