spot_img

Latest Posts

ଟୋକନ ସମସ୍ୟା ମଣ୍ଡିରେ ଉଠୁନି ଚାଉଳ ; ଆସନ୍ତାକାଲି ନବ ନିର୍ମାଣ କୃଷକ ସଙ୍ଘ ଦେଇଛି ଓଡ଼ିଶା ବନ୍ଦ ଡାକରା

ନନ୍ଦିଘୋଷ ବ୍ୟୁରୋ : ଚାଷୀ ସମସ୍ୟା, ପିୟୁସିସି ନାଁରେ ମନଇଚ୍ଛା ଫାଇନ ଆଦାୟ ଓ ଟାଟା ପାଓ୍ବାରର ସ୍ମାର୍ଟ ମିଟର ବିରୋଧରେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଏହି ବନ୍ଦ ଡାକରାକୁ ବାମ ଦଳ ଗୁଡ଼ିକ ବି ସମର୍ଥନ ଦେଇଛନ୍ତି । ସେହିପରି କଂଗ୍ରେସ ଏହି ତିନି ପ୍ରସଙ୍ଗକୁ ଯଥାର୍ଥ କହି ଆସନ୍ତାକାଲି ବନ୍ଦ ଡାକରାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ସମୟରେ ଏହି ତିନି ପ୍ରସଙ୍ଗ ବିରୋଧରେ ଆନ୍ଦୋଳନ ରାଜ୍ୟହିତ ପାଇଁ ଆବଶ୍ୟକ ଥିବାରୁ, ବନ୍ଦ ଡ଼ାକରାକୁ ଯଥାର୍ଥ ବୋଲି କହିଛି ବିଜେଡି ।

ଟୋକନ ସମସ୍ୟା । ମଣ୍ଡିରେ ଉଠୁନି ଚାଉଳ । ବ୍ୟାପକ ଭାବେ ଚାଲିଛି କଟନୀ ଛଟନୀ । ହନ୍ତସନ୍ତ ହେଉଛନ୍ତି ରାଜ୍ୟର ଚାଷୀକୂଳ । ଏହା ବିରୋଧରେ ଆନ୍ଦୋଳନର ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଏ ନେଇ ଆସନ୍ତାକାଲି ନବ ନିର୍ମାଣ କୃଷକ ସଙ୍ଘ ଦେଇଛି ଓଡ଼ିଶା ବନ୍ଦ ଡାକରା । ଚାଷୀଙ୍କ ସମସ୍ୟାକୁ ନେଇ ଅଖଚକ ବନ୍ଦ କରାଯିବ । ସକାଳ ୬ଟାରୁ ଅପରାହ୍ନ ଦୁଇଟା ଯାଏଁ ଏହି ବନ୍ଦ କରାଯିବ । ସେପଟେ ପିୟୁସିସି ନାଁରେ ମନଇଚ୍ଛା ଫାଇନ ନିଆଯାଉଛି । ରାଜ୍ୟର ଅର୍ଥନୀତି ବିପରିତ ଦିଗରେ ଯାଉଥିବାରୁ ଏହାକୁ ଫାଇନ ଆକାରରେ ଆଦାୟ କରି ଲୋକଙ୍କ ଉପରେ ବୋଝ ଲଦାଯାଉଥିବା ଅଭିଯୋଗ ହୋଇଛି । ଏହି ବନ୍ଦ ଡାକରାରେ ଏହାକୁ ବି ପ୍ରସଙ୍ଗ କରାଯିବ । ସେହିପରି ଟାଟା ପାଓ୍ବାର ଶୋଷଣ କରୁଥିବାରୁ ଉଦବେଗ ପ୍ରକାଶ ପାଉଛି । ଜୋର ଜବରଦସ୍ତ ଲୋକଙ୍କ ଉପରେ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରାଯାଉଛି । ଯାହା ଏହି ଓଡ଼ିଶା ବନ୍ଦ ଡାକରାର ଆଉ ଏକ ପ୍ରମୁଖ ମୁଦ୍ଦା କରିବ ନବ ନିର୍ମାଣ କୃଷକ ସଂଗଠନ । ତେବେ ଆନ୍ଦୋଳନ ପୂର୍ବରୁ ପୋଲିସର ଦମନଲୀଳା ଆରମ୍ଭ ହୋଇଥିବା ନବ ନିର୍ମାଣ କୃଷକ ସଂଗଠନ ଅଭିଯୋଗ କରିଛି । ଜାଣିଶୁଣି ସଂଗଠନର କର୍ମୀଠାରୁ ଫାଇନ ଆଦାୟ ପାଇଁ ରସିଦ ପଠା ଯାଇଛି । ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ ସିପିଆଇ-ଏମଏଲ ବି ସମର୍ଥନ ଜଣାଇଛି । ସେହିପରି ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ମିଳିଛି କଂଗ୍ରେସର ସମର୍ଥନ । ପ୍ରତି ଜିଲ୍ଲାରେ ବନ୍ଦକୁ ସମର୍ଥନ କରିବ କଂଗ୍ରେସ । ଆସନ୍ତାକାଲି କଂଗ୍ରେସର ପ୍ରତି କର୍ମୀ ଏହି ଆନ୍ଦୋଳନରେ ସାମିଲ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।

ବିଜେଡି ମଧ୍ୟ କୃଷକ ସମସ୍ୟା ନେଇ ଫେବୃଆରୀ ଦୁଇ ତାରିଖରୁ ୧୬ଟି ଜିଲ୍ଲାରେ ଚାଷୀ ସମାବେଶ କରିବାକୁ ପୂର୍ବରୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଆସନ୍ତାକାଲି ବନ୍ଦ ଡାକରାରେ ବ୍ୟକ୍ତିଗତ ଭାବେ ସିନା ସାମିଲ ହେବନି, ହେଲେ ଏହାକୁ ଯଥାର୍ଥ ବୋଲି କହିଛି ବିଜେଡି । ତେବେ ନବନିର୍ମାଣ କୃଷକ ସଂଗଠନକୁ ବିଜେଡି ପକ୍ଷରୁ ଶୁଭେଚ୍ଛା ସାଧୁବାଦ ଦିଆଯାଇଛି । ୭୩ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହର ଟାର୍ଗେଟ ରଖିଥିଲେ ସରକାର । ହେଲେ ମାତ୍ର ୨୯% ଚାଷୀଙ୍କ ଠାରୁ ୩୪% ଧାନ ସଂଗ୍ରହ ହୋଇଛି । ସାର ଯୋଗଣ ବି ଠିକ ଭାବେ ହେଲାନି । ଯାହାକୁ ବିଜେପି ସରକାରର ଭୋଟ ପାଇଁ ନାଟକ ଭାବେ କଟାକ୍ଷ କରିଛି ବିଜେଡି । ସେପଟେ ଓଡ଼ିଶା ବନ୍ଦକୁ ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି କହିଛି ବିଜେପି । ଯାହାର କିଛି ପ୍ରଭାବ ପଡିବ ନାହିଁ ।

କ୍ଷମତାକୁ ଆସିବା ପୂର୍ବରୁ ୨୨ଟି ନିର୍ବାଚନୀ ପ୍ରତିଶୃତି ଦେଇଥିଲା ବିଜେପି । ହେଲେ ଏ ଯାଏଁ କୌଣସି ପ୍ରତିଶୃତି ଠିକ୍ ଭାବେ ପାଳନ ହୋଇ ନଥିବା ବିରୋଧୀ ଅଭିଯୋଗ କରିଆସୁଛନ୍ତି । ଯାହା ବିରୋଧରେ ଜନଆନ୍ଦୋଳନ ମୁଣ୍ଡ ଟେକୁଛି ।

 

 

Latest Posts

Don't Miss