spot_img

Latest Posts

ରାଜଧାନୀରେ ଆଦିବାସୀ ଗାଁ ; ଏକ ନମ୍ବର ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ଆଦିବାସୀ ମେଳା

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ବରରେ ଆରମ୍ଭ ହେଲା ଆଦିବାସୀ ମେଳା ୨୦୨୬ । ୟୁନିଟ ୱାନ ହାଟ ପଛ ଆଦିବାସୀ ପଡ଼ିଆରେ ଚଳିତବର୍ଷ ଆରମ୍ଭ ହୋଇଛି ମେଳା । ବନଜାତ ସାମଗ୍ରୀ ବିକ୍ରି ପାଇଁ ଖୋଲିଛି ୧୦୯ଟି ଷ୍ଟଲ । ପ୍ରମୁଖ ଆଦିବାସୀ ସମ୍ପ୍ରଦାୟର ୧୦ଟି ଆଦିବାସୀ ଗୃହରେ ସେମାନଙ୍କ ଦୈନନ୍ଦିନ ଜୀବନ ଓ ଚଳଣୀକୁ ପ୍ରଦର୍ଶିତ କରାଯାଇଛି । ଏହି ମେଳା ଫେବୃଆରି ୫ ତାରିଖ ଯାଏଁ ଚାଲିବ ।

ରାଜଧାନୀରେ ଆଦିବାସୀ ଗାଁର ଭ୍ରମ । ଜଙ୍ଗଲ ସାମଗ୍ରୀ ସାଙ୍ଗକୁ ଜନଜାତୀଙ୍କ ଚଳଣି । ଆରମ୍ଭ ହେଲା ଆଦିବାସୀ ମେଳା ୨୦୨୬ । ୟୁନିଟ ୱାନ୍ ହାଟ ପଛ ଆଦିବାସୀ ପଡ଼ିଆରେ ଆରମ୍ଭ ହୋଇଛି ମେଳା । ଚଳିତବର୍ଷ ମେଳାରେ ୯୪ଟି ଆଦିବାସୀ ହାଟ, ୧୫ଟି କଳା ଏବଂ ହସ୍ତଶିଳ୍ପ ସମେତ ୧୦୯ଟି ଷ୍ଟଲ ଖୋଲାଯାଇଛି । ପ୍ରମୁଖ ଜନଜାତୀ ସମ୍ପ୍ରଦାୟର ସଂସ୍କୃତି, ଐତିହ୍ୟ ଓ ଚଳଣିକୁ ନେଇ ୧୦ଟି ଗୃହ ନିର୍ମାଣ କରାଯାଇଛି ।  ଏଥିରେ ଗଦବା, ସାନ୍ତାଳ, ପାଉଡ଼ି ଭୂୟାଁ, ଡଙ୍ଗରିଆ କନ୍ଧ, ଜୁଆଙ୍ଗ, ଲାଞ୍ଜିଆ ସଉରା, ହିଲ୍ ଖରିଆ, ମାଙ୍କିଡ଼ିଆ, କୁଟିଆ କନ୍ଧ, ଚୁଡ଼ିଆ ଭୁଞ୍ଜିଆ ଏବଂ ବଣ୍ଡା ଜନଜାତୀଙ୍କ ଜୀବନଶୈଳୀ, ସ୍ଥାପତ୍ୟ ଏବଂ ସାଂସ୍କୃତିକୁ ପ୍ରଦର୍ଶିତ କରାଯାଇଛି । ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀର ୩୨୫ ଜଣ ଆଦିବାସୀ ମହିଳା, ୫୭ ଜଣ ଆଦିବାସୀ ନୃତ୍ୟ ଦଳ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ମିଶାଇ ପ୍ରାୟ ୧ ହଜାର ୧୪୦ ଜଣ ଅଂଶଗ୍ରହଣ କରିଛନ୍ତି ।

ଓଡ଼ିଶା ଏକ ବିବିଧ ସଂସ୍କୃତିର ଭୂମି । ଏଠାରେ ହଜାର ହଜାର ବର୍ଷ ଧରି ପ୍ରକୃତିର କୋଳରେ ବସବାସ କରିଆସୁଛନ୍ତି ଜନଜାତି ସମ୍ପ୍ରଦାୟ । ସେମାନଙ୍କ ଜୀବନଶୈଳୀ, ପରମ୍ପରା ଓ ଚିନ୍ତାଧାରା ସମାଜକୁ ଏକ ନୂତନ ଦିଗ୍ଦର୍ଶନ ଦେଉଛି । ଏହି ମେଳା ମାଧ୍ୟମରେ ସେମାନଙ୍କର ପରମ୍ପରା ଖାଦ୍ୟ ଜୀବନ ଶୈଳୀକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ବିଭାଗ ପକ୍ଷରୁ ପ୍ରତିବର୍ଷ ବସୁଛି ଆଦିବାସୀ ହାଟ । ଗତବର୍ଷ ମେଳାରେ ୯ କୋଟି ଟଙ୍କାର କାରବାର ହୋଇଥିବା ବେଳେ ଚଳିତ ବର୍ଷ ଅଧିକ ବ୍ଯବସାୟ ହେବ ବୋଲି ବିଭାଗ ପକ୍ଷରୁ ଆଶା କରାଯାଇଛି ।

Latest Posts

Don't Miss