spot_img

Latest Posts

ପ୍ରତ୍ୟେକ ସୋମବାର ଲୋକଙ୍କ ଦିନ: ସରକାରୀ ଅଧିକାରୀ ଲୋକଙ୍କ ଅଭିଯୋଗ ଶୁଣିବାର ଦିନ

ପ୍ରତ୍ୟେକ ସୋମବାର ଲୋକଙ୍କ ଦିନ। ସରକାରୀ ଅଧିକାରୀ ଲୋକଙ୍କ ଅଭିଯୋଗ ଶୁଣିବାର ଦିନ। ପ୍ରତ୍ୟେକ ସୋମବାର ଅଭିଯୋଗ ଶୁଣୁଥିବା ଅଧିକାରୀମାନେ କାର୍ଯ୍ୟାଳୟରେ ରହିବା ଜରୁରୀ। ଜାନୁଆରୀ ୫ ତାରିଖ, ସୋମବାର ଦିନ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଅଭିଯୋଗ ଶୁଣାଣୀକୁ ବିଳମ୍ବରେ ଆସିଥିବାରୁ ୧୨ ଅଧିକାରୀଙ୍କୁ କାର୍ଯ୍ୟାଳୟକୁ ପ୍ରବେଶ ଅନୁମତି ଦେଲେ ନାହିଁ । ଏଥିରେ ଉପଜିଲ୍ଲାପାଳ, ବିଡିଓ, ସୂଚନା ଲୋକସମ୍ପର୍କ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ ସାମିଲ ଥିଲେ। ଜିଲ୍ଲାପାଳଙ୍କ ସ୍ପଷ୍ଟ ବାର୍ତ୍ତା ଥିଲା, ସମୟାନୁବର୍ତ୍ତିତା ଓ ଉତ୍ତରଦାୟିତ୍ବ । ଲୋକଙ୍କ ଅଭିଯୋଗ ଶୁଣିବା ହେଉଛି ପ୍ରଶାସନର ପ୍ରାଥମିକତା। ଜିଲ୍ଲାପାଳଙ୍କ ଏଭଳି ବାର୍ତ୍ତାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ହେଲା । ଏବେ ରାଜ୍ୟ ସରକାର ମଧ୍ୟ ସେହି ଧାରାରେ ଯାଉଛନ୍ତି । ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବା ପରେ ଅନୁ ଗର୍ଗଙ୍କ ପ୍ରଥମ ସଚିବ ସ୍ତରୀୟ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସୋମବାର ଲୋକଙ୍କ ଅଭିଯୋଗ ଶୁଣିବାର ଦିନ ହୋଇଥିବାରୁ ଲୋକସେବା ଭବନରେ ଅନ୍ୟ କୌଣସି ବୈଠକ ନ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

କେବଳ ରାଜ୍ୟସ୍ତରୀୟ ନୁହେଁ, ଜିଲ୍ଲା ଓ ବ୍ଲକ ସ୍ତରରେ ମଧ୍ୟ ସୋମବାର କୌଣସି ସରକାରୀ ବୈଠକ ନ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ବରରେ ସୋମବାର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ରହୁଥିବାରୁ ସବୁ ସୋମବାର ଶୁଣାଣି ହୋଇପାରୁନାହିଁ। ହେଲେ ଲୋକସେବା ଭବନରେ ସଚିବମାନେ ସୋମବାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ଜିଲ୍ଲା ସ୍ତରରେ ଜିଲ୍ଲାପାଳ-ଏସପିଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଲୋକଙ୍କ ସମସ୍ୟା ଶୁଣୁଛନ୍ତି। ତେଣୁ ପ୍ରତ୍ୟେକ ସୋମବାର ଅଭିଯୋଗ ଶୁଣାଣୀ ପାଇଁ ଉତ୍ସର୍ଗ କରିବାକୁ ଅନ୍ୟ କୌଣସି ସରକାରୀ ବୈଠକ ନ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ରାଜ୍ୟ ଓ ଜିଲ୍ଲା ସ୍ତରର ଅଧିକାରୀମାନେ ଅଧିକ ସଜାଗ ହେବେ ବୋଲି ସମୀକ୍ଷକ କହିଛନ୍ତି । ଗ୍ରାମାଞ୍ଚଳରେ ତହସିଲ, ଥାନା, ବ୍ଲକ ଅଫିସକୁ ନେଇ ଲୋକଙ୍କ ସମସ୍ୟା ଅଧିକ ଥାଏ । ପକ୍କାଘର, ରାସନ କାର୍ଡ, ଭତ୍ତା ସମ୍ପର୍କିତ ଅଭିଯୋଗ ସଂଖ୍ୟା ଅଧିକ ହୋଇଥିବା ବେଳେ ରାଜ୍ୟ ସ୍ତରରେ ପେନସନ୍, ଶିକ୍ଷା, ସ୍ବାସ୍ଥ୍ୟ ସହିତ ଥାନା, କୋର୍ଟ ଅବମାନନା ଭଳି ମାମଲା ଅଧିକ ଆସିବା ନଜିର ରହିଛି।

Latest Posts

Don't Miss