spot_img

Latest Posts

ରାଜ୍ୟସଭା ନିର୍ବାଚନ: ସଂଖ୍ୟା ନଥାଇ ବି ସାହସ ଜୁଟାଇଲା କଂଗ୍ରେସ, ଏକାକୀ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି

ରାଜ୍ୟସଭା ନିର୍ବାଚନ: ସଂଖ୍ୟା ନଥାଇ ବି ସାହସ ଜୁଟାଇଲା କଂଗ୍ରେସ, ଏକାକୀ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ସଂଖ୍ୟା ନଥାଇ ରାଜ୍ୟସଭା ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛି କଂଗ୍ରେସ । ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଏକାକୀ ପ୍ରାର୍ଥୀ ଦେବ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ଘୋଷଣା କରିଛନ୍ତି । ଓଡିଶାର ୪ଟି ଆସନ ଖାଲି ପଡୁଥିବାରୁ ୨ଟି ଆସନରେ ବିଜେପି ଓ ଗୋଟିଏ ଆସନ ବିଜେଡି ହାତେଇବା ନିଶ୍ଚିତ । ରାଜ୍ୟସଭା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନଥିଲେ ମଧ୍ୟ ଚତୁର୍ଥ ଆସନକୁ ନେଇ ଏବେଠାରୁ ଆରମ୍ଭ ହୋଇଛି ବୟାନବାଜି ।

ରାଜ୍ୟସଭା ପାଇଁ ସାହସ ଜୁଟାଇଲା ହାତ । ସଂଖ୍ୟା ନଥାଇ ଏକାକୀ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି । ଦଳ ଭିତରୁ ଓ ବାହାରୁ ପ୍ରାର୍ଥୀ କରିବାକୁ କସରତ । ବିଜେଡି କହିଲା, ରାଜ୍ୟସଭା ଅଙ୍କ କେହି ବୁଝିନାହାଁନ୍ତି । ଏପ୍ରିଲ ମାସରେ ଓଡିଶାର ୪ଟି ରାଜ୍ୟସଭା ଆସନ ଖାଲିପଡିବ । ନିର୍ବାଚନ କମିଶନ ରାଜ୍ୟସଭା ନିର୍ବାଚନ ଲାଗି ପ୍ରକ୍ରିୟା ଆରମ୍ଭ କରିବା ପରେ ଉଷ୍ମ ହୋଇଛି ରାଜ୍ୟସଭା ଗଣିତ । ରାଜ୍ୟସଭା ସଂଖ୍ୟା ଗଣିତ କହୁଛି ବିଜେପି ଦୁଇଟି ଆସନ ଓ ବିଜେଡି ଗୋଟିଏ ଆସନ ପାଇବେ l ଚତୁର୍ଥ ଆସନ କାହାର ହେବ ସେ ନେଇ ନାନା ଚର୍ଚ୍ଚା ଓ ଆକଳନ ଚାଲିଛି । ଅଙ୍କ କହୁଛି, ଚତୁର୍ଥ ଆସନ ପାଇଁ ନା ବିଜେଡି ନା ବିଜେପି ପାଖରେ ସଂଖ୍ୟା ବଳ ଅଛି । ଏପରି ସ୍ଥିତିରେ ସଂଖ୍ୟା ନଥାଇ ମଧ୍ୟ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ଅଣ୍ଟା ଭିଡିଛି । ପିସିସି ସଭାପତି ଯୁକ୍ତି ବାଢିଛନ୍ତି ହାର ଜିତକୁ ଭୟ ନହିଁ । ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଏକାକୀ ପ୍ରାର୍ଥୀ ଦେବ । ସଂଖ୍ୟା ଦୃଷ୍ଟିକୋଣରୁ ଆବଶ୍ୟକ ସଂଖ୍ୟା ନଥିବା ସତ୍ତ୍ୱେ ଦଳ ତିନି ଚାରିଜଣଙ୍କ ନାଁ ସ୍ଥିର କରିଛି । ଏନେଇ ଦଳ ହାଇକମାଣ୍ଡଙ୍କ ସହ ଆଲୋଚନା କରିବ ବୋଲି କହିଛନ୍ତି ପିସିସି ସଭାପତି । ଦଳ ଭିତରୁ କିମ୍ବା ବାହାରୁ ବି କାହାକୁ ଜଣଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଭକ୍ତ କହିଛନ୍ତି । ୧୪ ଜଣ ବିଧାୟକଙ୍କ ସହ ବାମଦଳର ଜଣେ ବିଧାୟକ ବଳରେ ଦଳ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛି ।

ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଛି । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଯୁକ୍ତି ହେଉଛି ରାଜ୍ୟସଭା ବିଜ୍ଞପ୍ତି ପ୍ରକାଶ ପାଇଲେ ବିଜୁ ଜନତା ଦଳ ନିଷ୍ପତ୍ତି ନେବ l ଦଳର ସଭାପତି ନବୀନ ପଟ୍ଟନାୟକ ଚୂଡାନ୍ତ ନିଷ୍ପତ୍ତି ନେବେ l ରାଜ୍ୟସଭା ଅଙ୍କ କାହାକୁ ଜଣାନାହିଁ ବୋଲି ଅରୁଣ କଟାକ୍ଷ କରି କହିଛନ୍ତି । ୪ଟି ଆସନ ପାଇଁ ବିଜେପିର ୨ଟି ଓ ବିଜେଡିର ଗୋଟିଏ ଯିବା ନିଶ୍ଚିତ l କଂଗ୍ରେସ ପାଖେ ସଂଖ୍ୟା ନାହିଁ l ଚତୁର୍ଥ  ଆସନ ପାଇଁ ଆଲୋଚନା ହେଉଛି l ଏହାର ଭାଗ୍ୟ କ’ଣ ହେବ କାହାକୁ ଜଣାନାହିଁ l ମୁଁ ଅପିଲ କରିବି ଚତୁର୍ଥ ଆସନ ପାଇଁ  ଓଡିଶାର ଜଣେ ପ୍ରତିଭାବାନ ବ୍ୟକ୍ତିକୁ ଦିଲ୍ଲୀ ପଠାଇବା ପାଇଁ ଆଲୋଚନା କରାଯାଉ l

ରାଜ୍ୟସଭା ନିର୍ବାଚନ ଲାଗି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଏବେଠାରୁ ଅଙ୍କକଷା ଆରମ୍ଭ କରିଛନ୍ତି । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟସଭା ଗଣିତର ଅସଲ କାର୍ଡ ଖୋଲିବେ ତିନି ପ୍ରମୁଖ ରାଜନୈତିକ ଦଳ ।

Latest Posts

Don't Miss