ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭାରେ ବିଚିତ୍ର ସ୍ଥିତି। ରାଜଭବନ ଓ ଶାସକ କଂଗ୍ରେସ ମଧ୍ୟରେ ବିବାଦ ତୀବ୍ର। ବିଧାନସଭାର ମିଳିତ ଅଧିବେଶନରେ ରାଜ୍ୟପାଳ ଥାଓରଚାନ୍ଦ ଗେହଲଟ ଯୋଗଦେଇ ପାରମ୍ପରିକ ଅଭିଭାଷଣ ପ୍ରଦାନ କଲେ। ହେଲେ ଅଭିଭାଷଣର କିଛି ଅଂଶ ନପଢ଼ି ସେ ଗୃହ ବର୍ଜନ କରିଥିଲେ। ଏହି ଅଭିଭାଷଣରେ ସରକାରଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଥିବା ଜି-ରାମ-ଜି ଆଇନ ସଂକ୍ରାନ୍ତ କିଛି ଅଂଶକୁ ନ ପଢି ସେ ଗୃହବର୍ଜନ କରିଥିଲେ। ଏମଜିଏନଆରଇଜିଏକୁ ହଟାଇ କେନ୍ଦ୍ର ସରକାର ଜି ରାମ ଜି ଆଇନ ଆଣିଥିଲେ। ତେବେ ଏହାକୁ ବିରୋଧ କରି ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ।
ରାଜ୍ୟପାଳଙ୍କ ଏହି ଆଚରଣକୁ କଂଗ୍ରେସ ବିଧାୟକମାନେ ତୀବ୍ର ବିରୋଧ କରିବା ସହ ରାଜ୍ୟପାଳଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏପରିକି ତାଙ୍କୁ ଘେରାଉ କରିବା ଲାଗି ଉଦ୍ଯମ କରିଥିଲେ। ମାତ୍ର ମାର୍ଶାଲ ଏଥିରେ ହସ୍ତକ୍ଷେପ କରିବା ସହ ତାଙ୍କୁ ଏସକର୍ଟ କରି ନେଇଥିଲେ। ରାଜ୍ୟପାଳ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ସେ କହିଛନ୍ତି- ବିଧାନସଭା ଅଧିବେଶନରେ ଅଭିଭାଷଣ ପଢିବା ହେଉଛି ରାଜ୍ୟପାଳଙ୍କ କର୍ତ୍ତବ୍ୟ। ରାଜ୍ୟପାଳଙ୍କ ବିବୃତିକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର ଦେଇଥିଲା। ମାତ୍ର ତାହା ନପଢିବା ଦୁର୍ଭାଗ୍ୟଜନକ। କର୍ଣ୍ଣାଟକ ରାଜ୍ୟପାଳଙ୍କ ପରି କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ବି ତାଙ୍କ ଅଭିଭାଷଣରୁ କିଛି ବାଦ୍ ଦେଇଥିଲେ ବୋଲି ଚର୍ଚ୍ଚା ହେଉଛି।

