ନନ୍ଦିଘୋଷ ବ୍ୟୁରୋ : କିମ୍ବଦନ୍ତୀ ମହାକାଶଚାରିଣୀ ସୁନୀତା ଓ୍ବିଲିୟମ୍ସଙ୍କ ଅବସର। ୨୭ ବର୍ଷର କ୍ୟାରିୟରରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ୩ ଥର ଯାଇଥିଲେ ସୁନୀତା। ଏହା ସହ ବହୁ ହ୍ୟୁମାନ ସ୍ପେସଫ୍ଲାଇଟ ରେକର୍ଡର ବି ସାଜିଥିଲେ ଅଧିକାରିଣୀ। ସୁନୀତାଙ୍କ ସମ୍ପର୍କରେ ନାସା ପକ୍ଷରୁ କୁହାଯାଇଛି- ୨୭ ବର୍ଷର ସେବା ପରେ ସୁନୀତା ଗତବର୍ଷ ଡିସେମ୍ବର ୨୭ରେ ନାସାରୁ ଅବସର ନେଇଛନ୍ତି। ୧୯୬୫ ସେପ୍ଟେମ୍ବର ୧୯ରେ ଆମେରିକାର ଓହିଓସ୍ଥିତ ଇୟୁକ୍ଲିଡରେ ଜନ୍ମଗ୍ରହଣ କରିଥିଲେ ସୁନୀତା। ତାଙ୍କ ବାପା ଥିଲେ ଦୀପକ ପାଣ୍ଡ୍ୟା। ସେ ଗୁଜରାଟର ହୋଇଥିବାବେଳେ ମା ଥିଲେ ଉର୍ସୁଲିନ ବୋନି ପାଣ୍ଡ୍ୟା ଯିଏକି ଥିଲ ଜଣେ ସ୍ଳୋଭେନିଆ ନାଗରିକ। ନିଜର ଅଭିଜ୍ଞତା ବଳରେ ସୁନୀତା ଅନେକ ଅଭିଯାନର ନେତୃତ୍ବ ନେଇଥିଲେ। ଏହା ସହ ଲୋ ଆର୍ଥ ଅର୍ବିଟରେ କମର୍ସିଆଲ ମିଶନ ଲାଗି ପଥ ପରିଷ୍କାର କରିଥିଲେ। ଭାରତ ଗସ୍ତରେ ଆସିଥିବା ସୁନୀତା ନୂଆଦିଲ୍ଲୀସ୍ଥିତ ଆମେରିକାନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇ ତାଙ୍କର ବିଗତ ଅଭିଜ୍ଞତା ସମ୍ପର୍କରେ ବଖାଣିଥିଲେ। ସୁନୀତା କହିଛନ୍ତି- ମହାକାଶରେ ତାଙ୍କର ପ୍ରଥମ କାର୍ଯ୍ୟ ଥିଲା ଭାରତକୁ ଚିହ୍ନଟ କରିବା। ଏହି ଅବସରରେ ସେ ତାଙ୍କ ପରଲୋକଗ ବାପା ଦୀପକ ପାଣ୍ଡ୍ଯାଙ୍କର ବି ସ୍ମୃତିଚାରଣ କରିଥିଲେ। ସୁନୀତାଙ୍କ ସ୍ବାମୀ ହେଉଛନ୍ତି ମାଇକେଲ ଜେ. ଓ୍ବିଲିୟମ୍ସ। ନାସାରେ ଯୋଗଦେବା ପୂର୍ବରୁ ତାଙ୍କ ସହ ହୋଇଥିଲା ସାକ୍ଷାତ। ମାରିଲ୍ୟାଣ୍ଡସ୍ଥିତ ଆନ୍ନାପୋଲିସ ଅନ୍ତର୍ଗତ ନାଭାଲ ଏକାଡେମୀରେ ଦୁହିଁଙ୍କ ମଧ୍ଯରେ ସାକ୍ଷାତ ହୋଇଥିଲା। ପରେ ଏହା ବିବାହର ରୂପ ନେଇଥିଲା। ସୁନୀତା ମୋଟ ୬୨ ଘଣ୍ଟା ୬ ମିନିଟ୍ର ନଅଟି ସ୍ପେସୱାକ୍ କରିଛନ୍ତି। ଯେକୌଣସି ମହିଳା ମହାକାଶଚାରୀଙ୍କ ଦ୍ୱାରା ଏହା ସର୍ବାଧିକ ଓ ନାସାର ତାଲିକାରେ ଚତୁର୍ଥ। ସେ ମହାକାଶରେ ମାରାଥନ୍ ଦୌଡ଼ିବାରେ ମଧ୍ୟ ପ୍ରଥମ ବ୍ୟକ୍ତି ଥିଲେ। ୨୮୬ ଦିନ, ୪ ହଜାର ୫୭୭ ଥର ପୃଥିବୀ ପରିକ୍ରମା କରି ଆଇଏସଏସରେ ଫସିଥିବା ସୁନୀତା ଗତବର୍ଷ ମାର୍ଚ୍ଚ ୧୮ରେ ପୃଥିବୀ ପୃଷ୍ଠକୁ ଫେରିଥିଲେ। ତାଙ୍କ ସହ ବି ଫେରିଥିଲେ ମହାକାଶଚାରୀ ବଚ୍ ଉଇଲମୋର।

