ପୁରୀ : ପୁଣି ପୂର୍ଣ୍ଣରୂପ ନେବ ଶ୍ରୀମନ୍ଦିର ସିଂହଦ୍ଵାର । ଗୁମୁଟ ଉପରେ ଶୋଭା ପାଇବେ ଦଶାବତାର ମୂର୍ତ୍ତି । ନବମ ସ୍ଥାନରେ କାହାର ମୂର୍ତ୍ତି ରହିବ ନିଷ୍ପତ୍ତି ନେବେ ଶଙ୍କାରାଚାର୍ଯ୍ୟ । ୧୪ବର୍ଷ ପରେ ଦଶବତାର ମୂର୍ତ୍ତିକୁ ପୁଣି ସିଂହଦ୍ଵାର ଗୁମୁଟ ଉପରେ ସଂସ୍ଥାପନ କରିବାକୁ ଅଣ୍ଟା ଭିଡିଛି ଶ୍ରୀମନ୍ଦିର ପ୍ରଶାସନ । ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ୨୦୧୨ରେ ଚୂନ ଛଡ଼ାଯିବା ସମୟରେ କଢ଼ାଯାଇଥିଲା ଚୂନରେ ନିର୍ମିତ ଏହି ମୂର୍ତ୍ତି । ବୀର ହରେକୃଷ୍ଣପୁର ଦକ୍ଷିଣସାହିରେ ଫଟୋ ଦିଆଯାଇ ମୂର୍ତ୍ତି ନିର୍ମାଣ କରାଯାଇଥିଲା । ଅବିକଳ ପଥର ମୁର୍ତ୍ତି ତିଆରି ହୋଇ ୬ ବର୍ଷ ହେଲା ପଡ଼ି ରହିଛି । ତେବେ ଏହାକୁ ପୁନଃ ସ୍ଥାପନ ପାଇଁ ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଛି ।
ତେବେ ନୂଆ ମୂର୍ତ୍ତିର ନବମ ସ୍ଥାନରେ ବୁଦ୍ଧ ରହିବେ ନା ଜଗନ୍ନାଥ, ତାକୁ ନେଇ ରହିଛି ବିବାଦ । ଜୟଦେବଙ୍କ ଗୀତଗୋବିନ୍ଦରେ ନବମ ସ୍ଥାନରେ ବୁଦ୍ଧଙ୍କ ଅବତାରର ଥିବା କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ । ପୌରାଣିକ ତଥ୍ୟ ଅନୁସାରେ ୧୫୦ ବର୍ଷ ତଳେ ସିଂହଦ୍ୱାରକୁ ଶଙ୍କରାଚାର୍ଯ୍ୟ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ମହାରାଜା ମାନେ ଏହି ଦଶାବତାର ମୂର୍ତ୍ତି ସ୍ଥାପନ କରିଥିଲେ । ଏଥିରେ ମତ୍ସ୍ୟ, କଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମଚନ୍ଦ୍ର, ହଳଧର, ଜଗନ୍ନାଥ ଓ କଳ୍କୀ ଥିବା ଜଣାପଡିଛି । ତେବେ ନବମ ସ୍ଥାନରେ ବୁଦ୍ଧଙ୍କ ସ୍ଥାନରେ ଶ୍ରୀଜଗନ୍ନାଥ ରହିବା ଶାସ୍ତ୍ର ବିରୋଧୀ ବୋଲି ମତ ଦେଇଥିଲେ ବୁଦ୍ଧିଜୀବୀ । ତେବେ ନବମ ସ୍ଥାନରେ କେଉଁ ମୁର୍ତ୍ତି ସ୍ଥାପନ କରାଯିବ, ସେନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଷ୍ପତ୍ତି ନେବାକୁ ମତ ପ୍ରକାଶ ପାଇଛି । ୧୪ ବର୍ଷ ପରେ ପରିଚାଳନା କମିଟି ବୈଠକରେ ଦଶାବତାର ମୂର୍ତ୍ତି ପୁନଃ ସ୍ଥାପନ ନେଇ ନିଷ୍ପତ୍ତି ପରେ ଖୁସିବ୍ୟକ୍ତ କରିଛନ୍ତି ଗବେଷକ, ସେବାୟତ ଓ ବୁଦ୍ଧିଜୀବୀ ।

