ସରିଲାଣି ଡେଡଲାଇନ । ସରିଲାନି କିନ୍ତୁ କାମ । ଠିକାଦାରଙ୍କ ମନମାନିରୁ ଆଗେଇ ପାରୁନି ବାତୋ- ଆମ୍ବୋ ସେତୁ କାମ । ଅଧାଗଢା ଅବସ୍ଥାରେ ବୈତରଣୀ ନଦୀ ଗର୍ଭରେ ହୋଇଛି ଠିଆ । କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀ ଉପରେ କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ଯୋଗାଯୋଗ ସୁଗମ ପାଇଁ ସେତୁ ନିର୍ମାଣ କରିବାକୁ ଟେଣ୍ଡର ଆହ୍ଵାନ କରିଥିଲେ ପୂର୍ବ ସରକାର । ୫୨୦ ମିଟର ଲମ୍ବ ପୋଲ ପାଇଁ ୩୧ କୋଟି ୯୫ ଲକ୍ଷ ଟଙ୍କାର ଅଟକଳ କରାଯାଇ ଟେଣ୍ଡର ପ୍ରସ୍ତୁତ ହୋଇଥିଲା । ୨୦୨୪ ଜାନୁଆରୀ ୪ ତାରିଖ ସୁଦ୍ଧା କାମ ଶେଷ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ଠିକାଦାରଙ୍କ ମନମାନିରୁ ସେତୁ କାମ ସରିବାର ନାଁ ଧରୁନି ।
ଘଷିପୁରା ବ୍ଲକ ବାତୋ ଅଞ୍ଚଳରୁ ହାଟଡିହି ବ୍ଲକ ଆମ୍ବୋ ଅଞ୍ଚଳ ମଧ୍ୟରେ ବାଧକ ସାଜିଛି ବୈତରଣୀ ନଦୀ । ସେତୁ କାମ ସରୁନଥିବାରୁ ୫ଟି ପଞ୍ଚାୟତର ଲୋକେ ବିପଦଶଙ୍କୁଳ ଅବସ୍ଥାରେ ଭରା ନଦୀରେ ଡଙ୍ଗାରେ ଯାଆସ କରୁଛନ୍ତି । ଆମ୍ବୋ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଡଙ୍ଗାରେ ନଦୀ ପାର ହୋଇ ବାତୋ ଅଞ୍ଚଳକୁ ପଢିବାକୁ ଯାଉଛନ୍ତି । ବର୍ଷା ଦିନେ କଲେଜ ଯାଇ ନପାରି ନାନା ଅସୁବିଧା ଭୋଗୁଛନ୍ତି । ଅନ୍ୟପଟେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରି କାର୍ଯ୍ୟର ଅଗ୍ରଗତି ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ । କେବେ ବାତୋ- ଆମ୍ବୋ ସେତୁ ନିର୍ମାଣ କାମ ଶେଷ ହେଉଛି ? ୫ ଗୋଟି ପଞ୍ଚାୟତବାସୀ କେବେ ସୁବିଧାରେ ଯାଆସ କରୁଛନ୍ତି ? ତାହା ଉପରେ ସମସ୍ତଙ୍କ ନଜର ରହିଛି ।

