ବିଜେପିରେ ଆରମ୍ଭ ହେବ ‘ନିତୀନ ନବୀନ’ ଯୁଗ । ଆରମ୍ଭ ହୋଇଛି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା । ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନିତୀନ ନବୀନ । ଆଜି ସେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଅଧ୍ୟକ୍ଷ ପଦବି ଲାଗି ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ନିତୀନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ସେମାନଙ୍କ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଅଧ୍ୟକ୍ଷ ମଧ୍ୟ ନାମାଙ୍କନ ବେଳେ ଉପସ୍ଥିତ ଅଛନ୍ତି । ଦିନ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ଲାଗି ସମୟ ଧାର୍ଯ୍ୟ କରାଯାଇଥିବାବେଳେ ୪ଟାରୁ ୫ଟା ଯାଏଁ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ଚାଲିବ । ସଂଧ୍ୟା ୫ଟାରୁ ୬ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ଲାଗି ସମୟ ସ୍ଥିର ହୋଇଛି । ଅଧିକ ପ୍ରାର୍ଥିପତ୍ର ଦାଖଲ ହେଲେ ୨୦ ତାରିଖରେ ଅର୍ଥାତ କାଲି ନିର୍ବାଚନ ହୋଇ ଫଳ ଘୋଷଣା କରାଯିବ । ତେବେ ନିତୀନ ଏକାକୀ ନାମାଙ୍କନ ଭରୁ ଥିବାବେଳେ ମୈଦାନରେ କୌଣସି ପ୍ରତିଦ୍ବନ୍ଦ୍ବୀ ନାହାଁନ୍ତି । ତେଣୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ । ଆସନ୍ତାକାଲି ବିଧିବଦ୍ଧ ଫଳ ଘୋଷଣା ହେବ ଏବଂ ନୂଆ ଅଧ୍ୟକ୍ଷ କାଲି ହିଁ ଦାୟିତ୍ବ ଗ୍ରହଣ କରିବେ ।

