spot_img

Latest Posts

କୋଚ ଗମ୍ଭୀରଙ୍କ ଗଣିତ ଗଡ଼ବଡ଼ ! ଟିମ୍ ଇଣ୍ଡିଆ T-20ରେ ପାସ, ଦିନିକିଆ-ଟେଷ୍ଟରେ କିନ୍ତୁ ଫେଲ୍‌

ରାହୁଲ ଦ୍ରାବିଡ଼ଙ୍କ ପରେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ଦାୟିତ୍ବ ବହନ କରିଥିବା ଗୌତମ ଗମ୍ଭୀରଙ୍କୁ ନେଇ ଏବେ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଟି-୨୦ ଓ ଦିନିକିଆରେ ଗମ୍ଭୀରଙ୍କ କୋଚିଂ ରେକର୍ଡ ବେଶ ମଜବୁତ ରହିଛି । ତାଙ୍କର କାର୍ଯ୍ୟକାଳରେ ଭାରତ ଶାନଦାର ବିଜୟ ହାସଲ କରିଛି । ମାତ୍ର ଟେଷ୍ଟ କ୍ରିକେଟରେ ଭାରତର ପ୍ରଦର୍ଶନ ଦୁର୍ବଳ ରହିଛି । ଆଇପିଏଲରେ କୋଲକତା ନାଇଟ୍ ରାଇଡର୍ସକୁ ଚାମ୍ପିୟନ କରାଇ ଗମ୍ଭୀର ନିଜର କୋଚିଂର କ୍ଷମତାକୁ ପ୍ରମାଣିତ କରିଥିଲେ । ଟିମ୍ ଇଣ୍ଡିଆକୁ ଏବେ ଦିନିକିଆ ସିରିଜରେ ନିଜ ଘରେ ହାରିବାକୁ ପଡ଼ିଛି । ଏହା ଏଥିପାଇଁ ଲଜ୍ଜାଜନକ ଯେ, ଭାରତକୁ ତା’ର ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ଦିନିକିଆ ସିରିଜରେ ପରାସ୍ତ କରିଛି । ଏହି ପରାଜୟକୁ ନେଇ ଫ୍ୟାନ୍ସଙ୍କ ମଧ୍ୟ ବେଶ୍ ନିରାଶା ଖେଳିଯାଇଛି । ଏକବର୍ଷ ପୂର୍ବରୁ ଭାରତକୁ  ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜରେ ପରାସ୍ତ କରିଥିଲା ।

ଗମ୍ଭୀରଙ୍କ ରେକର୍ଡ ଅଲଗା ଅଲଗା ଫର୍ମାଟରେ ଦେଖିଲେ ଏହା ଜଣାପଡ଼େ, ଟି-୨୦ ଓ ଦିନିକିଆରେ ତାଙ୍କର ପ୍ରଦର୍ଶନ ସନ୍ତୋଷଜନକ ରହିଛି । ମାତ୍ର ଲାଲ ବଲ ବା ଟେଷ୍ଟ କ୍ରିକେଟରେ ତାଙ୍କର ରେକର୍ଡ ଖରାପ ରହିଛି । ଭାରତୀୟ କ୍ରିକେଟ ଟିମର କୋଚ ଭାବେ ଶ୍ରୀଲଙ୍କା ବିପକ୍ଷରେ ଗମ୍ଭୀର ପ୍ରଥମେ କ୍ୟାରିୟର ଆରମ୍ଭ କରିଥିଲେ । ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ରୁ ସନ୍ନ୍ୟାସ ନେବା ପରେ ତାହା ଗମ୍ଭୀରଙ୍କ ପ୍ରଥମ ଟି-୨୦ ସିରିଜ ଥିଲା । ତା’ପରେ ଖେଳାଯାଇଥିବା ୨୭ଟି ଟି-୨୦ରୁ ଭାରତ ୨୩ଟିରେ ଜିତିଛି, ୩ଟିରେ ହାରିଛି ଓ ୧ଟି ମ୍ୟାଚ ଡ୍ର ରହିଛି । ଗମ୍ଭୀରଙ୍କ ବିଜୟ ପ୍ରତିଶତ ୮୫.୧୮ ରହିଥିଲା ।

ଦିନିକିଆରେ ଗମ୍ଭୀରଙ୍କ ରେକର୍ଡ ଖାସ ନଥିଲା । ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ହାରିଥିଲା । ତା’ପରେ ଭାରତ କ୍ରମାଗତ ୮ଟି ମ୍ୟାଚ ଜିତିଥିଲା । ତା’ପରେ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଜିତିଥିଲା । ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ୨୦ଟି ଦିନିକିଆରେ ଗମ୍ଭୀରଙ୍କ କୋଚିଂ ସମୟରେ ଭାରତ ୧୨ଟି ମ୍ୟାଚ ଜିତିଛି, ୭ଟି ହାରିଛି ଓ ୧ଟି ଟାଇ ରହିଛି । ଏଥିରେ ଗମ୍ଭୀରଙ୍କ ବିଜୟ ପ୍ରତିଶତ ୬୦ ରହିଛି ।

ଟେଷ୍ଟ କ୍ରିକେଟରେ ଗମ୍ଭୀରଙ୍କ ସମୟରେ ଭାରତର ରେକର୍ଡ ଅତ୍ୟନ୍ତ ନିରାଶାଜନକ ରହିଛି । ଭାରତ ନିଜ ଘରେ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ଲିନ ସ୍ବିପର ସାମ୍ନା କରିବାକୁ ପଡ଼ିଥିଲା । ତା’ପରେ ବର୍ଡର-ଗାଭାସ୍କର ଟ୍ରଫିରେ ୩ଟି ଟେଷ୍ଟ ମ୍ୟାଚ ହାତଛଡ଼ା କରିଥିଲା । ଇଂଲଣ୍ଡ ବିପକ୍ଷରେ ୨-୨ରେ ମ୍ୟାଚ ଡ୍ର ରହିଥିଲା । ଓ୍ବେଷ୍ଟଇଣ୍ଡିଜକୁ ଟେଷ୍ଟରେ ଭାରତ ହରାଇଥିଲା । ତା’ପରେ ଭାରତକୁ ପୁଣି ଝଟକା ଲାଗିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ସିରିଜକୁ ୨-୦ରେ ହାରିଥିଲା । ମୋଟ ୧୯ଟି ଟେଷ୍ଟ ମ୍ୟାଚରୁ ଭାରତ ୭ଟି ମୁକାବିଲା ଜିତି ୧୦ଟିରେ ହାରିଥିଲା ଓ ୨ଟିରେ ଡ୍ର ରହିଥିଲା । ଭାରତର ବିଜୟ ପ୍ରତିଶତ ୩୬.୮୪ ରହିଥିଲା । ଆସନ୍ତା ଫେବୃଆରୀ ୭ରୁ ଭାରତ ଗମ୍ଭୀରଙ୍କ ନେତୃତ୍ବରେ ଟି-୨୦ ବିଶ୍ବକପ ଖେଳିବ, ଯାହାକି ତାଙ୍କ ପାଇଁ ବଡ଼ ଅଗ୍ନିପରୀକ୍ଷା ହେବ । ତା’ପରେ ଦିନିକିଆ ବିଶ୍ବକପ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

Latest Posts

Don't Miss