spot_img

Latest Posts

ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ପକ୍ଷୀ ଜଣନା

ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ପକ୍ଷୀ ଜଣନା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଚିଲିକା, କୋଣାର୍କ, ଅସ୍ତରଙ୍ଗ, ହୀରାକୁଦ ଜଳଭଣ୍ଡାର ଓ ଅଂଶୁପା ହ୍ରଦରେ ପକ୍ଷୀ ଗଣନା ଆରମ୍ଭ ହୋଇଛି ।

ଚିଲିକାରେ ପକ୍ଷୀ ଗଣନା

ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସକାଳ ୬ରୁ ଆରମ୍ଭ ହୋଇଥିବା ପକ୍ଷୀ ଗଣନା ମଧ୍ୟାହ୍ନ ଗୋଟିଏ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ମତ୍ସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ପାଇଁ ବାରଣ କରାଯାଇଛି । ଏହି ଗଣନାରେ ୧୪୫ରୁ ଊର୍ଦ୍ଧ୍ବ ବିଭାଗୀୟ କର୍ମଚାରୀ ସାମିଲ ହୋଇଛନ୍ତି l ୫ଟି ରେଞ୍ଜର ଗଣନା କାର୍ଯ୍ୟରେ ମୋଟ ୨୨ଟି ଗଣନାକାରୀ ଦଳ ନିୟୋଜିତ ହୋଇଛନ୍ତି । ୨୦ଟି ଗଣନାକାରୀ ଦଳ ଚିଲିକା ଜଳ ରାଶିରେ ଓ ୨ଟି ଗଣନାକାରୀ ଦଳ ଚିଲିକା ତଟବର୍ତ୍ତି ସ୍ଥଳ ଭାଗରେ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରତି ଟିମରେ ୫ରୁ ୭ ଜଣ ଗଣନାକାରୀ ଅଛନ୍ତି ।

ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ୫ଟି ରେଞ୍ଜ ଯଥା ପୁରୀ ଜିଲ୍ଲାର ସାତପଡ଼ା, ଚିଲିକା ରେଞ୍ଜ, ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ, ଟାଙ୍ଗୀ ରେଞ୍ଜ ଏବଂ ଗଞ୍ଜାମ ଜିଲ୍ଲାର ରମ୍ଭା ରେଞ୍ଜରେ ଚାଲିଛି ଗଣନା । ପ୍ରତିବର୍ଷ ଭଳି ଗଣନା କାର୍ଯ୍ୟରେ ପକ୍ଷୀ ସୂଚନା ସମ୍ବନ୍ଧୟ ମାନଚିତ୍ର, ଜିପିଏସ, ବାଇନାକୁଲାର, ସ୍ପୋଟିଂ ସ୍କୋପ, ୱାକିଟକି, ନୋଟ ବୁକ ଆଦି ବ୍ୟବହାର କରାଯାଇଛି l ଏହି ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଓୟୁଏଟି  ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ହୋଇଛନ୍ତି l

କୋଣାର୍କ ଓ ଅସ୍ତରଙ୍ଗ

କୋଣାର୍କ ଓ ଅସ୍ତରଙ୍ଗ ରେଞ୍ଜରେ ମଧ୍ୟ ପକ୍ଷୀ ଗଣନା ଚାଲିଛି । ଚଳିତବର୍ଷ ଅସ୍ତରଙ୍ଗ ବନ୍ୟପ୍ରାଣୀ ଅଞ୍ଚଳକୁ ୫ଟି ବିଭାଗ ସହ କୋଣାର୍କ ରେଞ୍ଜ ଅଞ୍ଚଳକୁ ୭ଟି ବିଭାଗ ବିଭକ୍ତ କରାଯାଇଛି । ନଟରାରୁ କେଉଟଜଙ୍ଘା, ଗଙ୍ଗାଦେବୀରୁ ଦେବୀନାସି, କଣମଣରୁ ଗଙ୍ଗାଦେବୀ, ମୁହାଁଣମୁହଁରୁ ପାଟସୁନ୍ଦରପୁର, ବେଲେଶ୍ୱରରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଜାରି ରହିଛି । ପ୍ରତି ଦଳରେ ଜଣେ ପକ୍ଷୀ ବିଶାରଦଙ୍କ ସମେତ ପକ୍ଷୀ ବିଶେଷଜ୍ଞ ରହିଛନ୍ତି । ପ୍ରତି ଦଳରେ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଓ କୋଣାର୍କ ବନ୍ୟପ୍ରାଣୀ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ ରହିଛନ୍ତି । ପକ୍ଷୀ ଗଣନାକାରୀ ବାଇନାକୁଲାର, ବାର୍ଡ଼ସ ଗାଇଡି ବୁକ ଓ ବାର୍ଡ଼ ଏକ୍ସପଟଙ୍କ ସାହାଯ୍ୟରେ ପକ୍ଷୀ ଗଣନା କରୁଛନ୍ତି । ଜଳଭାଗରେ ଓ ସ୍ଥଳଭାଗରେ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ହୀରାକୁଦ ଜଳଭଣ୍ଡାର

ହୀରାକୁଦ ଜଳଭଣ୍ତାରରେ ଆଜି ଆରମ୍ଭ ହୋଇଛି ବିଦେଶାଗତ ପକ୍ଷୀଗଣନା । ହୀରାକୁଦ ଓ୍ବାଇଲ୍ଡ ଲାଇଫ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା, ବରଗଡ଼ ଓ ଛତିଶଗଡ ସଂଲଗ୍ନ ଜଳଭଣ୍ତାରରେ ପକ୍ଷୀ ଗଣନା କରାଯିବ । ହୀରାକୁଦ ଡ୍ୟାମ ଆରମ୍ଭରୁ ଛତିଶଗଡ ସୀମାନ୍ତ ପର୍ଯ୍ୟନ୍ତ ପ୍ରାୟ ୫୫୦ ବର୍ଗ କିଲୋମିଟରରେ ଗଣନା ହେଵ । ଏଥିପାଇଁ ୨୧ଟି ସେକ୍ଟର ଗଠନ କରାଯାଇଛି ।  ୭୦ ଜଣ ବନ ଅଧିକାରୀ ଓ ପକ୍ଷୀ ବିଶେଷଜ୍ଞ ଓ ଗଣନାକାରୀ ସାମିଲ ହୋଇଛନ୍ତି । ସକାଳ ୬ ଟାରୁ ଆରମ୍ଭ ହୋଇଥିବା ପକ୍ଷୀ ଗଣନା ସନ୍ଧ୍ୟା ୫ ପର୍ଯ୍ୟନ୍ତ ଚାଳିବ ।

ଅଂଶୁପା ହ୍ୟଦ

ମଧୁର ହ୍ରଦ ଅଂଶୁପାରେ ମଧ୍ୟ ପକ୍ଷୀ ଗଣନା କରାଯାଉଛି । ଆଠଗଡ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରାଯାଇଛି । ଆଠଗଡ ବନଖଣ୍ଡର ୫ଟି ରେଞ୍ଜର ଅଂଶୁପା ସମେତ ମହାନଦୀ ଅବବାହିକା, ଛତିଶାପଟା ଆଦି ୪୦ଟି ସ୍ଥାନରେ ପକ୍ଷୀ ଗଣନା ଚାଲିଛି । ଏଥିପାଇଁ ୪୦ଟି ଟିମ ଗଠନ କରାଯାଇଛି । ଓୟୁଏଟିର ଛାତ୍ରଛାତ୍ରୀଙ୍କ ସମେତ ୧୬୦ ଜଣ ବନ କର୍ମଚାରୀ ଏଥିରେ ନିୟୋଜିତ ଅଛନ୍ତି । ବିଶେଷ କରି ଅଂଶୁପା ସହିତ ମହାନଦୀ ମଧ୍ୟରେ ଥିବା ଧବଳେଶ୍ୱର ପଠା, ଅମଙ୍ଗେଇ ପଠା, ସିଂହାନାଥ ପୀଠ ଆଦି ଅଂଚଳରେ ଅଧିକାଂଶ ବିଦେଶା ଗତ ପକ୍ଷୀ ଦେଖା ଦେଇଛନ୍ତି ।

କୁଳଡିଆ ଅଭୟାରଣ୍ୟ ଓ ନୀଳଗିରି

କୁଳଡିଆ ଅଭୟାରଣ୍ୟ ଓ ନୀଳଗିରିରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୪ଟି ସ୍ଥାନରେ ଚାଲିଛି ଗଣନା । ନିୟୋଯିତ ଅଛନ୍ତି ବନ ବିଭାଗର ୪ଟି ଟିମ । ୪୦ ଜଣରୁ ଅଧିକ ବନ କର୍ମଚାରୀ ସମେତ ସବୁଜ ବାହିନୀ ଗଣନାରେ ସାମିଲ ହୋଇଛନ୍ତି । କୁଳଡିଆ ଅଭୟାରଣ୍ୟ ଭିତରେ ଥିବା ଖୁମକୁଟ, ବୁଗାଳିବନ୍ଧ, ରିଶିଆ ଆଦି ସ୍ଥାନରେ ଚାଲିଛି ପକ୍ଷୀ ଗଣନା । ନୀଳଗିରି ରେଞ୍ଜ ପଦ୍ମତୋଳା ହ୍ରଦରେ ମଧ୍ୟ ଚାଲିଛି ପକ୍ଷୀ ଗଣନା । ଡିଏଫଓଙ୍କ ତତ୍ବାବଧାନରେ ପକ୍ଷୀ ଗଣନା ଚାଲିଛି ।

Latest Posts

Don't Miss