ନନ୍ଦିଘୋଷ ବ୍ୟୁରୋ : ଟ୍ରାଫିକରେ ଘଣ୍ଟା ଘଣ୍ଟା ଠିଆହୋଇ ନୟାନ୍ତ ଲୋକେ । ରାସ୍ତା ଉପରେ ଚାଲିଛି ଅମାନିଆଙ୍କ ରାଜ୍ । ଏଇ ହେଉଛି ବଲାଙ୍ଗୀର ସହରର ଦୃଶ୍ଯ । ସହରର ଟ୍ରାଫିକ୍ ବ୍ୟବସ୍ଥାର ସୁଦୃଢୀକରଣ ଓ ଘଟୁଥିବା ଅପରାଧ ରୋକିବାକୁ ୨୦୨୨ ନଭେମ୍ବର ୨୨ରେ ପଶ୍ଚିମ ଓଡ଼ିଶା ବିକାଶ ପାଣ୍ଠିରୁ କୋଟିଏ ୨୫ ଲକ୍ଷ ଅନୁଦାନରେ ଟ୍ରାଫିକ୍ ସିଗନାଲ୍ ସହ ହାଇ ସିକ୍ୟୁରିଟି କ୍ୟାମେରା ଲଗାଯାଇଥିଲା I ୩୬ ଟି ପ୍ରମୁଖ ସ୍ଥାନ ଚିହ୍ନଟ କରାଯାଇ ୨୦ଟି ଫେସ୍ ଡିଟେକ୍ସନ, ୮୨ଟି ବୁଲେଟ୍ କ୍ୟାମେରା, ୪ଟି ଛକରେ ଟ୍ରାଫିକ୍ କଣ୍ଟ୍ରୋଲ ସିଗନାଲ, ୩ଟି ପିଟିଡେଡ ଓ ୨୫ଟି ଏନପିଆର ଲଗାଯାଇଥିଲା I ପୋଲିସ କଣ୍ଟ୍ରୋଲ ରୁମରୁ ଏହା ଉପରେ ରଖାଯାଇଥିଲା ନଜର । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଏବେ ଅଚଳ । ୫୦ ପ୍ରତିଶତ ସିସିଟିଭି କାମ କରୁନଥିବା ଯୋଗୁଁ ସହରରେ ଏବେ ବଢିଛି ଅପରାଧୀଙ୍କ ଆତଙ୍କରାଜ । ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ସାମ୍ବାଦିକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି I
ସେପଟେ ରାଉରକେଲା ସହରର ସବୁଠାରୁ ଅଧିକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବେଆଇନ ପାର୍କିଂ ଯୋଗୁଁ ବଢୁଛି ଟ୍ରାଫିକ ସମସ୍ଯା । ମେନ ରୋଡ ଅଞ୍ଚଳରେ ଗାଡ଼ି ରଖିବା ପାଇଁ ପାର୍କିଂ ବ୍ୟବସ୍ଥା ନଥିବାରୁ ରାସ୍ତା କଡରେ ଗାଡି ରଖୁଛନ୍ତି ଲୋକେ । ଏହାସହ ରାସ୍ତା ଉପରେ ଵାଲି ଗୋଡି ଚିପସ ଗଦା କରି ରଖାଯାଉ ଥିବାରୁ ଯାତାୟାତ ପ୍ରଭାବିତ ହେଉଛି । ଜନଗହଳି ପୁର୍ଣ୍ଣ ଛକରେ ସ୍ମାର୍ଟ ସିଟି ପକ୍ଷରୁ ସିସିଟିଭି ସହ ଟ୍ରାଫିକ ଲାଇଟ ଲଗାଯାଇଛି । କିନ୍ତୁ ସିସିଟିଭି କ୍ୟାମେରା ଓ ଟ୍ରାଫିକ ଲାଇଟ କାମ କରୁନଥିବାରୁ ସହରରେ ଅମାନିଆ ଓ ଅପରାଧୀଙ୍କ ଦୌରାତ୍ମ ବଢୁଛି । ଯାହାକୁ ନେଇ ସହରବାସୀଙ୍କ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଖୁବଶିଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆରଏମସି କମିଶନର । ସହରରେ ଅପରାଧ ରୋକିବା ସହ ଟ୍ରାଫିକ ବ୍ଯବସ୍ଥାକୁ ସୁଦୃଢ଼ କରିବାକୁ ପୂର୍ବ ସରକାରଙ୍କ ସମୟରେ ହୋଇଥିଲା ଅନେକ ଯୋଜନା । କିନ୍ତୁ ପ୍ରଶାସନର ଅବହେଳାରୁ ଏସବୁ ଏବେ ଅଚଳ ହେବାକୁ ବସିଲାଣି ।

