ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବଡ଼ ଆକ୍ସନ। ଦଳ ବିରୋଧୀ କାର୍ଯ୍ୟ ନେଇ ଆଜି ୨ ଜଣ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ନବୀନ। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନିଲମ୍ବନ କରିଛନ୍ତି ସୁପ୍ରିମୋ। ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ବିଧାୟକ ଦଳ ବୈଠକରେ ଲଗାତାର ଅନୁପସ୍ଥିତ ରହିଥିଲେ। ଏହା ସହିତ ଦଳ ବିରୋଧୀ ମନ୍ତବ୍ୟ ଦେବାକୁ ବି ପଛାଉ ନଥିଲେ। ଖୋଦ୍ ସଭାପତି ନବୀନ ପଟ୍ଟନାୟକ ଏନଇ ସନାତନଙ୍କୁ ତାଗିଦ କରିବା ସତ୍ତ୍ବେ ତାଙ୍କର ଆଚରଣରେ ସୁଧାର ଆସି ନଥିଲା। ଏହାକୁ ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡି ସୁପ୍ରିମୋ।
ସେହିପରି ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇ ପାଟକୁରା ଟିକେଟ ପାଇଥିଲେ ଅରବିନ୍ଦ ମହାପାତ୍ର। ପ୍ରଥମ ଥର ଲାଗି ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଅରବିନ୍ଦ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ। ବିଜେଡି ବିଧାୟକ ଥାଇ ଦଳର ଶୃଙ୍ଖଳା ଗଣ୍ଡି ଭିତରେ ନରହିବାରୁ ଅରବିନ୍ଦଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ନବୀନ। କ୍ଷମତାରେ ଥିବାବେଳେ ଦଳୀୟ ଶୃଙ୍ଖଳା ଭଙ୍ଗ ନେଇ ଅନେକ ବିଧାୟକ, ମନ୍ତ୍ରୀ ଓ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ନବୀନ ପଟ୍ଟନାୟକ। ଆଜି ବି ବିରୋଧୀ ଦଳ ନେତା ଥାଇ ନିଜ ଦଳର ଶୃଙ୍ଖଳା ଭଙ୍ଗ ନେଇ ସାମାନ୍ୟତମ ବରଦାସ୍ତ କରିନାହାନ୍ତି ନବୀନ।

