spot_img

Latest Posts

ରାଜନୀତିର ପଶାପାଶିଲେ ବ୍ରିଜ: ସରକାରଙ୍କ ଅବହେଳାରୁ ଅଧାରେ ଅଟକିଛି କଳମଗଡ଼ିଆ ସେତୁ କାମ

ଅଧାଗଢ଼ା ଅବସ୍ଥାରେ କଳମଗଡ଼ିଆ ସେତୁ । ନୂଆ ସରକାରରେ ଆଗେଇ ପାରୁନି କାମ । ହୋଇପାରୁନି ଆପ୍ରୋଚ ରୋଡ । ଖୁଣ୍ଟା ବରଗଛ ପରି କଣ୍ଟିଆଚିରା ନାଳ ଉପରେ ଠିଆ ହୋଇଛି ବ୍ରିଜ । ବହୁ ପ୍ରତୀକ୍ଷିତ ବ୍ରିଜକୁ ଚାତକ ପରି ଅନାଇ ବସିଛନ୍ତି ଗ୍ରାମବାସୀ । ପୂର୍ବ ସରକାରଙ୍କ ସମୟରୁ ବାଲେଶ୍ଵର ରେମୁଣା ବ୍ଲକ ତାଳପଦା ପଞ୍ଚାୟତର କଣ୍ଟିଆଚିରା ନାଳ ଉପରେ ସେତୁ ନିର୍ମାଣ ଚାଲିଛି । ୨୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟ ବରାଦରେ ଚାଲିଥିବା ବ୍ରିଜ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହେଲେ ବ୍ରିଜକୁ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇପାରୁନାହିଁ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

କଳମଗଡ଼ିଆ ସେତୁ କାର୍ଯ୍ୟକାରୀ ହେଲେ ରେମୁଣା ବ୍ଲକ ଅଧୀନ ଇଂଚୁଡ଼ି, ଶ୍ରୀଜଙ୍ଗ ଓ ତାଳପଦା ପଞ୍ଚାୟତର କୋଡ଼ିଏ ହଜାର ଲୋକେ ଉପକୃତ ହେବେ। ବାହାନଗା, ଗୋପାଳପୁର ରାସ୍ତାର ଦୂରତା ୧୦ ରୁ ୧୫ କିଲୋମିଟର କମିଯିବ । ତାଳପଦାର ବିସ୍ତୀର୍ଣ୍ଣ ସମତଳ ବେଳାଭୂମି, ଜାମୁକା ମୁହାଣ ପରି ତିନୋଟି ପର୍ଯ୍ୟଟନସ୍ଥଳୀ ଓ ଲବଣ ସତ୍ୟାଗ୍ରହର ମହାପୁରୁଷ ସ୍ମୃତି ସ୍ମାରକୀକୁ ଯିବା ଆସିବା ସୁଗମ ହେବ । ଖାଲି ସେତିକି ନୁହେଁ ସ୍ଥାନୀୟ ଅଞ୍ଚଳର ବିକାଶ ହେବା ସହ ମତ୍ସ୍ୟଜୀବୀ ମାନେ ବେଶ ଉପକୃତ ହେବେ । ଅନ୍ୟପଟେ ବ୍ରିଜ ସଂପର୍କରେ ସରକାରଙ୍କୁ ଅବଗତ କରାଯାଇଥିବା କହିଛନ୍ତି ଅଧିକାରୀ । କଳମଗଡ଼ିଆ ସେତୁକୁ କେବେ ସଂଯୋଗୀକରଣ ରାସ୍ତା ନିର୍ମାଣ ହେବ ? କେବେ ୩ ଗୋଟି ପଞ୍ଚାୟତବାସୀ ସୁବିଧାରେ ଯାଆସ କରିବେ ? ତାକୁ ଅପେକ୍ଷା ।

Latest Posts

Don't Miss