ଚଣ୍ଡିଖୋଲ : ଚଳଚଞ୍ଚଳ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି । ବୁଦ୍ଧଂ ଶରଣଂ ଗଚ୍ଛାମି ଶବ୍ଦରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରିରେ ଆରମ୍ଭ ହୋଇଛି ଗୁରୁ ପଦ୍ମସମ୍ଭବଙ୍କ ମହାସମାବେଶ । ଯେଉଁଥିରେ ଏକାଠି ହୋଇଛନ୍ତି ୧୭ଟି ଦେଶରୁ ଆସିଥିବା ୨ ହଜାର ବୌଦ୍ଧ ଧର୍ମାବଲମ୍ବୀ ଓ ବୌଦ୍ଧ ଗୁରୁ । ଗୁରୁ ପଦ୍ମସମ୍ଭବ ଦ୍ୱିତୀୟ ବୁଦ୍ଧ ଉପାଧି ପାଇଛନ୍ତି । ସେ ଓଡ଼ିଶା ସହ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ରହି ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରିଥିଲେ ।
ଲାଇଟ ଅଫ ବୁଦ୍ଧ ଫାଉଣ୍ଡେସନ ପକ୍ଷରୁ ଏହି ମହାସମାବେଶ ଆୟୋଜନ କରାଯାଇଛି । ବୌଦ୍ଧ କୀର୍ତ୍ତିରାଜି ବହନ କରୁଥିବା ହୀରକ ତ୍ରିଭୁଜ ଉଦୟଗିରି, ରତ୍ନଗିରି, ଲଳିତଗିରିରେ ବୌଦ୍ଧ ଭିକ୍ଷୁ ମାନେ ସାରା ବିଶ୍ଵକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରୁଛନ୍ତି । ଉଦୟଗିରି ଠାରେ ପାଞ୍ଚ ଦିନ ଧରି ଏହି ସମାବେଶ ଅନୁଷ୍ଠିତ ହେଉଛି । ସମାବେଶରେ ଯୋଗ ଦେଇଥିବା ବୌଦ୍ଧ ଭିକ୍ଷୁ ମାନଙ୍କର ସମସ୍ତ ସୁବିଧା ସୁଯୋଗ ଓ ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

