ଭୁବନେଶ୍ବର : ସହରାଞ୍ଚଳରେ ଆପାର୍ଟମେଣ୍ଟ କିଣାବିକା ପାଇଁ ଫିଟିଲା ବାଟ। ଆଗକୁ ବଢିବ ଦୀର୍ଘଦିନ ଧରି ଠପ୍ ହୋଇପଡ଼ିଥିବା ରିଏଲ ଇଷ୍ଟେଟ କାରବାର । ସରକାର ଆଣିବେ ଅଧ୍ୟାଦେଶ, ଷ୍ଟାମ୍ପ ଆକ୍ଟରେ ହେବ ସଂଶୋଧନ। ରାଜ୍ୟ କ୍ୟାବିନେଟରେ ହୋଇଛି ଅନୁମୋଦନ। ସଶକ୍ତ ହେବେ କ୍ରେତା, ସତର୍କ ହେବେ ବିଲଡ଼ର। କୌଣସି ଆପାର୍ଟମେଣ୍ଟ କିଣାବିକା ପୂର୍ବରୁ ଏହାର କମନ ଏରିଆ କ୍ରେତା ସଂଘକୁ ହସ୍ତାନ୍ତର ହେବା ରେରା ଆଇନ ଅନୁସାରେ ଜରୁରୀ। ହେଲେ କମନ ଏରିଆ ହସ୍ତାନ୍ତର ଦେୟ ଅଧିକ ଥିବାରୁ ଏହା କିଏ ପୈଠ କରିବ, ତାକୁ ନେଇ ଅଡୁଆ ଛିଣ୍ଡୁନଥିଲା । ଏବେ ସରକାର ଏହାର ବାଟ ବାହାର କରିଛନ୍ତି। ଭାରତୀୟ ଷ୍ଟାମ୍ପ ଆଇନରେ ନୂଆ କ୍ଲଜ ଆଣିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏଣିକି ଆପାର୍ଟମେଣ୍ଟରେ ଥିବା କମନ ଏରିଆ କ୍ରେତା ସଂଘ ନାଁରେ ପଞ୍ଜୀକରଣ କରିବାକୁ ମାତ୍ର ୫୦ ହଜାର ଟଙ୍କା ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ। ଏହା ସହ ପ୍ରତ୍ୟେକ କ୍ରେତା ନିଜ ନିଜର ଫ୍ଲାଟ ପଞ୍ଜୀକରଣ ବେଳେ କମନ ଏରିଆର ନିଜ ଅଂଶ ପଞ୍ଜୀକରଣ ପାଇଁ ୫% ଦେୟ ଦେବାକୁ ପଡ଼ିବ। ଏହାକୁ କ୍ରେତାସଂଘ ସ୍ବାଗତ କରିଛନ୍ତି। ବିଳମ୍ବରେ ହେଲେ ପଛେ ସରକାର ସମାଧାନ କରିଥିବାରୁ ଏଣିକି ଆପାର୍ଟମେଣ୍ଟ ବିକ୍ରି ପାଇଁ ବାଟ ଫିଟିଛି ।
କମନ ଏରିଆ ଆପାର୍ଟମେଣ୍ଟ ମାଲିକ ସଂଘକୁ ହସ୍ତାନ୍ତର ହେଲେ ବିଲଡ଼ରଙ୍କ ମନମାନୀ ହଟିବ। ପ୍ରକଳ୍ପ ଅଯଥା ବିଳମ୍ବ ହେବାର ଆଶଙ୍କା ଦୂର ହେବ। ନିଜ ନାମରେ ଜମି ଥିବାରୁ ପ୍ରମୋଟର ବା ବିଲଡ଼ର ଏହାକୁ ଦେଖାଇ ବ୍ୟାଙ୍କରୁ ଋଣ ଆଣି ଅନ୍ୟ ପ୍ରକଳ୍ପରେ ବିନିଯୋଗ କରିବା ଅଭିଯୋଗ ହେବନାହିଁ। କମନ ଏରିଆକୁ ବିଲଡ଼ର ନିଜ ଢଙ୍ଗରେ ବ୍ୟବହାର କରି ଅର୍ଥ ଉପାର୍ଜନ କରୁଥିଲେ। ମାଲିକ ସଂଘକୁ କମନ ଏରିଆ ହସ୍ତାନ୍ତର ସହଜ ହେଲେ କ୍ରେତା ଅଧିକ ସଶକ୍ତ ହେବେ। ଏହି ସମସ୍ୟା ତୁଟୁନଥିବାରୁ ଦୀର୍ଘ ଦିନ ଧରି କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଅନେକ ପ୍ରକଳ୍ପର ଫ୍ଲାଟ ବିକ୍ରି ହୋଇପାରୁନଥିଲା। କୋଟି କୋଟି ଟଙ୍କା ପୁଞ୍ଜି ଲଗାଇ ବିଲଡ଼ରମାନେ ଆପାର୍ଟମେଣ୍ଟ ସାରିଥିଲେ ମଧ୍ୟ ବିକ୍ରି ହୋଇପାରୁନଥିବାରୁ ଆର୍ଥିକ ସଙ୍କଟରେ ଥିଲେ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ କ୍ରେଡ଼ାଇ ମଧ୍ୟ ସ୍ବାଗତ କରିଛି। ତିନି ବର୍ଷରୁ ଅଧିକ ସମୟ ହେଲାଣି ରାଜ୍ୟରେ ଆପାର୍ଟମେଣ୍ଟ କିଣାବିକା ସ୍ଥାଣୁ ଅବସ୍ଥାରେ ଥିଲା। ପ୍ରାୟ ୨୦ହଜାର କୋଟି ଟଙ୍କାର ରିଏଲ ଇଷ୍ଟେଟ କାରବାର ବନ୍ଦ ହୋଇପଡ଼ିଥିଲା। କମନ ଏରିଆ ହସ୍ତାନ୍ତର ସମସ୍ୟା ଦୂର ହେଲେ ଏଣିକି ଆପାର୍ଟମେଣ୍ଟ କିଣାବିକା ଜୋରଦାର ହେବ ବୋଲି ଆଶା କରାଯାଉଛି।

