spot_img

Latest Posts

ଚରମ ସ୍ତରରେ ପିସି କାରବାର: ଅସାଧୁ କର୍ମଚାରୀଙ୍କ ପାଇଁ ସରକାରୀ ଯୋଜନା ବାଟବଣା

ଚରମ ସ୍ତରରେ ପିସି କାରବାର। ସରକାରଙ୍କ ବିଭିନ୍ନ ଯୋଜନା ଅସାଧୁ କର୍ମଚାରୀଙ୍କ ପାଇଁ ବାଟବଣା । ମିଶନ ଶକ୍ତି ଗୃହ ଓ ମିଶନ ଶକ୍ତି କାଫେରେ ଝୁଲୁଛି ତାଲା। ଜରାଜୀର୍ଣ୍ଣ ଅବସ୍ଥାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ମିଶନ ଶକ୍ତି ଭବନ। ନୂତନ ସରକାରଙ୍କ ଉଦାସୀନତା ଯୋଗୁଁ ଏସବୁ ବନ୍ଦ ପଡିଛି। ଯାହାକୁ ନେଇ ପ୍ରତିବାଦ କରିଛନ୍ତି ନିର୍ବାଚିତ ଲୋକ ପ୍ରତିନିଧି। ପୁରୀ ଜିଲ୍ଲା କାକଟପୁର ପଂଚାୟତ ସମିତି କାର୍ଯ୍ୟାଳୟ ସାମ୍ନାରେ ଗତ ୮ ତାରିଖରୁ ୫ଦଫା ଦାବି ନେଇ ଧାରଣା ଦେଇଛନ୍ତି । ଲୋକଙ୍କ ସୁବିଧା ପାଇଁ ପୂର୍ବ ସରକାର କରିଥିଲେ କେତେ କଣ ଯୋଜନା। ହେଲେ ସରକାର ବଦଳିବା ପରେ ଉନ୍ନୟନମୂଳକ ଯୋଜନାରେ ଲାଗିଛି ବ୍ରେକ। ଯନ୍ତ୍ରୀ ମୋଟା ଅଙ୍କର ପିସି ନେଉଥିବା ବେଳେ ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହୋଇଛି। ସେହିଭଳି କାକଟପୁର ବ୍ଲକ ଅଂଚଳରେ ନିମ୍ନ ମାନର ଛତୁଆ ଓ ପରିମାଣ କମାଯାଇ ବଣ୍ଟନ କରାଯାଉଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅସାଧୁ କର୍ମଚାରୀଙ୍କ ମିଲିଭଗତରେ ଏ ସବୁ ଦୁର୍ନୀତି ଫାଇଲ ତଳେ ଚାପି ହୋଇଯାଉଛି। ଉଦ୍ୟାନ କୃଷି ବିଭାଗର କାର୍ଯ୍ୟାଳୟକୁ ବ୍ଲକ ପରିସରକୁ ପୁନର୍ବାର ଫେରାଇ ଆଣିବାକୁ ଦାବି ହୋଇଛି। ସେହିଭଳି ପ୍ରତିଟି କାର୍ଯ୍ୟରେ ନିର୍ବାଚିତ ଲୋକ ପ୍ରତିନିଧି ଓ ଗ୍ରାମସଭାକୁ ସର୍ବୋଚ୍ଚ ଗୁରୁତ୍ବ ଦେବାକୁ ଦାବି ହୋଇଛି।

କାକଟପୁରରେ ଲୋକଙ୍କ ଟଙ୍କା ହରିଲୁଟ କରୁଛନ୍ତି ଦୁର୍ନୀତିଖୋର, ଭ୍ରଷ୍ଟାଚାର କର୍ମଚାରୀ ଓ ପଂଚାୟତ ସ୍ତରୀୟ କୁଜି ନେତା। ଯାହାକୁ ବିରୋଧ କରି ୩ ଦିନ ଧରି କାକଟପୁର ପଂଚାୟତ ସମିତି ସାମ୍ନାରେ ଧାରଣା ଜାରି ରହିଛି। ଏ ନେଇ କାକଟପୁର ବ୍ଲକ ଅଧ୍ୟକ୍ଷ କହିଛନ୍ତି ଖୁବଶୀଘ୍ର କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ଓ ଗୃହ ଗୁଡିକ ଉଦଘାଟନ ହେବ । ଏହା ସହ ଛତୁଆ କେନ୍ଦ୍ର ଗୁଡିକୁ ଅଧିକାରୀ ମାନେ ପରିଦର୍ଶନ କରି ମାନ ନିମ୍ନ ଧରଣ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ସେପଟେ କାକଟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି, ପିସି ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ନେଉଛନ୍ତି ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Latest Posts

Don't Miss