ନୂଆବର୍ଷରୁ ନୂଆ ଦାୟିତ୍ବ । ପ୍ରଶାସନିକ ସ୍ତତରେ ଅଦଳବଦଳ । ୧୯୯୩ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ଦେଓ ରଞ୍ଜନ କୁମାର ସିଂହ ହେଲେ ନୂଆ ଉନ୍ନୟନ କମିଶନର। ଉନ୍ନୟନ କମିଶନର ସହ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଇବେ। ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବା ପରେ ଉନ୍ନୟନ କମିଶନର ପଦବୀ ଖାଲି ହୋଇଥିଲା । ଜଳସମ୍ପଦ ବିଭାଗର ସଚିବ ପଦ ବି ଖାଲି ହୋଇଥିଲା । ଶୁଭା ଶର୍ମାଙ୍କୁ ଜଳସମ୍ପଦ ବିଭାଗ ଦାୟିତ୍ବ ମିଳିଛି । ଦେଓ ରଞ୍ଜନ ସିଂହ କଟକ, ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ ଠାରୁ ଆରମ୍ଭ କରି ଏମ୍ଏସ୍ଏମ୍ଇ ବିଭାଗ, ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ ଓ ଖଣି ଇସ୍ପାତ ବିଭାଗର ସଚିବ ଦାୟିତ୍ବ ବି ତୁଲାଇଛନ୍ତି। ଉନ୍ନୟନ କମିଶନର ଭାବେ ଦାୟିତ୍ବ ନେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସରକାରଙ୍କ ୨୦୩୬ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ଦିଗରେ କାମ କରିବେ ବୋଲି କହିଛନ୍ତି। ଗୃହ ଓ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ରାଜସ୍ବ ପର୍ଷଦ ସଦସ୍ୟ ଭାବେ ନିଯୁକ୍ତି ମିଳିଥିବା ବେଳେ ଶିଳ୍ପ ଓ ସୂଚନା ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଗୃହ ବିଭାଗର ଏସିଏସ୍ ଭାବେ ଦାୟିତ୍ବ ନେଇଛନ୍ତି। ଜନସାଧାରଣ ନିରାପଦ ଓ ସୁରକ୍ଷିତ ରଖିବା ମୋର ପ୍ରାଥମିକତା ହେବ ବୋଲି ହେମନ୍ତ କହିଛନ୍ତି।
ଓଡିଶା ଶାନ୍ତି ପ୍ରିୟ ରାଜ୍ୟ। ଥାନା ଏବଂ ଫାଣ୍ଡିରେ ଉନ୍ନତ ଭିତ୍ତିଭୂମି, ଖାଲି ଥିବା ପଦବୀ ପୂରଣ ସହ ପୁଲିସିଙ୍ଗ କୁ ଗ୍ରାସ ରୁଟ ସ୍ତରରେ ମଜଭୂତ କରାଯିବ। ଆରକ୍ଷୀ ଅଧିକ୍ଷକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କିଛି ନିର୍ଦ୍ଦେଶ ଦେଇଥିଲେ। ଗତକାଲି ବି ୧୫ ସୂତ୍ରୀ ନିର୍ଦ୍ଦେଶନାମା ଦେଇଛନ୍ତି। ତାକୁ ଆଧାର କରି କାର୍ଯ୍ୟ କରିବି ବୋଲି ଦାୟିତ୍ବ ନେବା ପରେ ହେମନ୍ତ ଶର୍ମା ପ୍ରତିକ୍ରିୟା ରଖିଛନ୍ତି। ହେଲେ କିଛି ଅଧିକାରୀଙ୍କୂ ଏକାଧିକ ଦାୟିତ୍ବ ଦେବା ପ୍ରସଙ୍ଗରେ ସମୀକ୍ଷକ କହିଛନ୍ତି, ମନ୍ତ୍ରୀମଣ୍ଡଳରେ ୬ ପଦ ଖାଲି ପଡ଼ିଛି। ଜଣେ ଜଣେ ମନ୍ତ୍ରୀ ଏକାଧିକ ବିଭାଗ ସମ୍ଭାଳୁଛନ୍ତି । କିଛି ଅଧିକାରୀ ଏକାବେଳେ ୩ରୁ ୪ ବିଭାଗ କଥା ବୁଝୁଛନ୍ତି । ଅଧିକାରୀ ଏଭଳି ଓଭରଲୋଡ଼ ହେଲେ ସରକାରଙ୍କ ବିକଶିତ ଓଡ଼ିଶା ୨୦୬ ଲକ୍ଷ ସାଧନ କଷ୍ଟକର ହେବ ବୋଲି ସମୀକ୍ଷକ କହିଛନ୍ତି।
ପ୍ରମୁଖ ସଚିବ ପାହ୍ୟାରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ଉନ୍ନୀତ ହୋଇଥିବା ଅରବିନ୍ଦ ପାଢୀ ବି ଆଜି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦାୟିତ୍ବ ସମ୍ଭାଳିଛନ୍ତି। ଅବକାରୀ ବିଭାଗର ସଚିବ, ଓପିଟିସିଏଲ୍ ସିଏମ୍ଡ଼ି, ମଦ ନିଗମର ଅଧ୍ୟକ୍ଷ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଦାୟିତ୍ବ ମିଳିଥିବା ବେଳେ ସମବାୟ ବିଭାଗର ସଚିବ, ପଣ୍ୟାଗାର ନିଗମର ଅଧ୍ୟକ୍ଷ, ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ରାଜେଶ ପ୍ରଭାକର ପାଟିଲଙ୍କୁ ଏସ୍ଆରସି ଓ ଓସଡ଼ମା ଦାୟିତ୍ବ ଅତିରିକ୍ତ ଭାବେ ମିଳିଛି।

