ମଦୁଆଙ୍କ ଆକ୍ସନକୁ ପୋଲିସର ରିଆକ୍ସନ। ଜିରୋ ନାଇଟରେ ଜିରୋ ଟଲରାନ୍ସ । ହୋଟେଲ ପବ୍ ବାହାରେ ଜଗିବ ହର ଟିମ । ୨୯ଟି ସ୍ଥାନରେ ନାକା ସାଙ୍ଗକୁ ହେବ କଡା ଚେକିଂ । ଦୁଃଖରେ ପରିଣତ ନହେଉ ବର୍ଷ ଶେଷ ଦିନର ଖୁସି । ମଦୁଆଙ୍କ ଉତ୍ପାତ ପାଇଁ ମାନ୍ଦା ନହେଉ ନୂଆବର୍ଷ ସେଲିବ୍ରେସନ। ଏଥିପାଇଁ ବାରମ୍ବାର ସଚେତନତା ପରେ ମଧ୍ୟ ଅମାନିଆଙ୍କ ପାଇଁ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ୨୯ ଟି ସ୍ଥାନରେ ହେବ ନାକାବନ୍ଦୀ ସାଙ୍ଗକୁ ବ୍ରେଥ ଆନାଲାଇଜରରେ କଡା ଚେକିଂ । ଏଥିପାଇଁ ୩୦ ଟି ବ୍ରେଥ ଆନାଲାଇଜର ଏକାଠି କରିଛି ଭୁବନେଶ୍ୱର ପୋଲିସ। ଥାନା ରେ କାର୍ଯ୍ୟରତ ପୋଲିସଙ୍କ ସହ ଅତିରିକ୍ତ ୧୮ ପ୍ଲାଟୁନ ଫୋର୍ସ ସାରା ସହର ଜଗିବେ। ମହିଳାଙ୍କୁ କମେଣ୍ଟ ମାରୁଥିବା ରୋଡ଼ ରୋମିଓଙ୍କୁ ଜଗିବା ପାଇଁ ସାଦା ପୋଷାକରେ ମୁତୟନ ହେବ ହର୍ ଟିମ । ଗଳି କନ୍ଦିରେ ବୁଲିବ କୁଇକ୍ ରିଆକ୍ସନ ଟିମ୍ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ।
ସନ୍ଧ୍ୟା ସମୟରୁ ହୋଟେଲ, କ୍ଲବ, ପବରେ ମତୁଆଲା ହେବେ ଯୁବପିଢି। ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ୧୨ ଟାରେ ପ୍ରୋଗ୍ରାମ ସରିଲେ ୧୨ ଟା ୩୦ ସୁଧା ସେହି ସ୍ଥାନ ଖାଲି କରିବାକୁ କୁହାଯାଇଛି । ପ୍ରବଳ ଭିଡ ଯୋଗୁଁ ଅଗ୍ନିଶମ ଟିମ ମଧ୍ୟ ସଜାଗ ରହିଛି । ଯେଉଁ ସ୍ଥାନରେ ଗହଳି ଅଧିକ ରହିଛି, ସେହି ସ୍ଥାନର ପ୍ରସ୍ଥାନ ଗେଟ ଉପରେ ନଜର ରଖିବାକୁ ଅଗ୍ନିଶମ ଡିଜି ଅନୁରୋଧ କରିଛନ୍ତି । ଅଗ୍ନିକାଣ୍ଡ ସମ୍ପର୍କରେ କୌଣସି ବି ସୂଚନା ପାଇଲେ ତୁରନ୍ତ ୧୧୨କୁ ଜଣାଇବାକୁ ସଚେତନ କରିଛନ୍ତି ଅଗ୍ନିଶମ ଡିଜି । ଆଗାମୀ ଇଂରାଜୀ ନବବର୍ଷ ସୁଖ ସମୃଦ୍ଧିର ବର୍ଷ ହେଉ। କିନ୍ତୁ ସେଲିବ୍ରେସନ ଆଳରେ ମତୁଆଲା ହୋଇ କେହି ଆଇନକୁ ହାତକୁ ନିଅନ୍ତୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ।

