spot_img

Latest Posts

ସଲମାନଙ୍କ ‘ବ୍ୟାଟଲ ଅଫ୍ ଗଲଓ୍ବାନ’ ଫିଲ୍ମକୁ ନେଇ ବିଳି ବିଳେଇ ହେଉଛି ଚୀନ

ସଲମାନଙ୍କ ‘ବ୍ୟାଟଲ ଅଫ୍ ଗଲଓ୍ବାନ’ ଫିଲ୍ମକୁ ନେଇ ବିଳି ବିଳେଇ ହେଉଛି ଚୀନ

ନନ୍ଦିଘୋଷ ବ୍ୟୁରୋ: ବଲିଡଡ଼ ଷ୍ଟାର ସଲମାନ ଖାନଙ୍କ ଅପ୍ କମିଂ ଫିଲ୍ମ ‘ବ୍ୟାଟଲ ଅଫ୍ ଗଲଓ୍ବାନ’ର ଟିଜର ରିଲିଜ ହୋଇଛି । ଯାହାକୁ ନେଇ ଚୀନ ଚିନ୍ତିତ ହୋଇ ପଡ଼ିବା ସହ ବିଳି ବିଳେଇ ହେବା ଆରମ୍ଭ କରି ଦେଇଛି । ୨୦୨୦ରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସଂଘର୍ଷ ସ୍ଥିତି ଉପରେ ଫିଲ୍ମଟି ଆଧାରିତ । ଗ୍ଲୋବାଲ ଟାଇମ୍ସ ଫିଲ୍ମକୁ ନେଇ କହିଛି ଏଥିରେ କିଛି ଫ୍ୟାକ୍ଟ ନାହିଁ । ସେହିପରି ଚୀନ ବିଶେଷଜ୍ଞ କହିଛନ୍ତି, ଆମ ପବିତ୍ର ଭୂମି ଉପରେ ଫିଲ୍ମର କୌଣସି ପ୍ରଭାବ ପଡ଼ିବ ନାହିଁ ।

ଗ୍ଲୋବାଲ ଟାଇମ୍ସ ପକ୍ଷରୁ କୁହାଯାଇଛି ସଲମାନ ଖାନଙ୍କୁ ବଜରଙ୍ଗୀ ଭାଇ ଜାନ ପାଇଁ ଚୀନର ଲୋକେ ଚିହ୍ନିଛନ୍ତି । ବ୍ୟାଟଲ ଅଫ ଗଲଓ୍ବାନରେ ସଲମାନ କର୍ଣ୍ଣଲ ବିକ୍କୁମଲ୍ଲା ସନ୍ତୋଷ ବାବୁଙ୍କ ଚରିତ୍ରରେ ନଜରକୁ ଆସିବେ । ଭାରତୀୟ ମିଡିଆ ଅନୁସାରେ ୨୦୨୦ ଗଲଓ୍ବାନ ସଂଘର୍ଷରେ କର୍ଣ୍ଣଲ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଥିଲେ ।

ଏଥିରେ ଫ୍ୟାକ୍ଟ ନାହିଁ

ଫିଲ୍ମର ଟିଜର ରିଲିଜ ହେବା ପରେ ଚୀନ ତରଫରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ଏହାସହ ଫିଲ୍ମର ଫ୍ୟାକ୍ଟ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି । ଜଣେ ଚୀନୀ ବିଶେଷଜ୍ଞ କହିଛନ୍ତି, ଭାରତୀୟ ସିନେମା ଭାବନାତ୍ମକ ଓ ମନୋରଞ୍ଜନ ଉପରେ ଆଧାରିତ । ହେଲେ ଯେତେ ବଢ଼େଇ ଚଢ଼େଇ ଫିଲ୍ମ ନିର୍ମାଣ କଲେ ବି ଇତିହାସକୁ ବଦଳା ଯାଇପାରିବ ନାହିଁ କି ଚୀନ ସେନା ନିଜ ସୀମାର ସୁରକ୍ଷା କରିବାରୁ ପଛକୁ ହଟିବେ ।

ଫିଲ୍ମକୁ ନେଇ ଚୀନରେ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡ଼ିଆରେ ବି ଫିଲ୍ମକୁ ନେଇ ୟୁଜର୍ସଙ୍କ କମେଣ୍ଟ ଆସୁଛି । ଚୀନୀ ସାଇଟ ବିବୋରେ ଜଣେ ୟୁଜର ଲେଖିଛନ୍ତି, ଏହି ଓଭର ଡ୍ରାମାଷ୍ଟିକ ଭାରତୀୟ ଫିଲ୍ମ ତଥ୍ୟଠାରୁ ସମ୍ପୂର୍ଣ୍ଣ ଓଲଟା । ଚୀନ ଅନୁସାରେ ଗଲଓ୍ବାନ ଘାଟି ଚୀନ ଅଞ୍ଚଳର ଓ ପିଏଲଏ ଦୀର୍ଘ ବର୍ଷ ହେଲା ଏହାର ସୁରକ୍ଷା କରୁଛି । ଚୀନୀ ମନ୍ତ୍ରାଳୟ ଅନୁସାରେ, ଭାରତ ସୀମାରେ ସଡ଼କ ଓ ଢାଞ୍ଚା ନିର୍ମାଣ କରି ପ୍ରଥମେ ସ୍ଥିତି ପରିବର୍ତ୍ତନ କରିଥିଲା । ଏହାପରେ ଏଲଏସିରେ ଅନୁପ୍ରବେଶ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ।

ଗପ କହୁଛି ଚୀନ

ଚୀନ ଅନୁସାରେ ୨୦୨୦ ଜୁନ ୧୫ ତାରିଖରେ ଭାରତୀୟ ଯବାନ ବୁଝାମଣାକୁ ଉଲ୍ଲଂଘନ କରି ଏଲଏସି ପାର କରିଥିଲେ । କଥାବାର୍ତ୍ତା କରିବାକୁ ଆସିଥିବା ଚୀନ ସୈନିକଙ୍କୁ ଆକ୍ରମଣ କରିଥିଲେ । ଯାହା ସଂଘର୍ଷର ରୂପ ନେଇଥିଲା ଓ ଦୁଇ ଦେଶର ଯବାନ ହାତାହାତି ହୋଇଥିଲେ । ଅଷ୍ଟ୍ରେଲିଆ ଖବରକାଗଜ ଅନୁସାରେ ଗଲଓ୍ବାନରେ ଚୀନର ୩୮ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିଲା । ହେଲେ ଚୀନ କହି ଆସୁଛି, ଏହି ସଂଘର୍ଷରେ ଚୀନର ୪ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଭାରତର ୨୦ ଯବାନ ସହିଦ ହୋଇଥିଲେ । ଚୀନୀ ସୈନ୍ୟ ବିଶେଷଜ୍ଞ ସେଙ୍ଗ ଝୋଙ୍ଗପିଙ୍ଗ କହିଛନ୍ତି, ଭାରତରେ ଫିଲ୍ମ ଜରିଆରେ ରାଷ୍ଟ୍ରବାଦ କଥା ଉଠାଇବା କୌଣସି ନୂଆ କଥା ନୁହେଁ । ହେଲେ ଫିଲ୍ମରେ ସତକୁ ବଦଳାଯାଇ ପାରିବ ନାହିଁ । ତାଙ୍କର କହିବାର ହେଲା ଗଲଓ୍ବାନ ଘଟଣାରେ ଭାରତ ପ୍ରଥମେ ସୀମା ପାର କରିଥିଲା । ଚୀନୀ ସେନା କେବଳ ନିଜ କ୍ଷେତ୍ରର ସୁରକ୍ଷା କରିଥିଲେ ।

ଆମର ପବିତ୍ର ଭୂମି

ଅନ୍ୟ ଜଣେ ବିଶେଷଜ୍ଞ କହିଛନ୍ତି, ଭାରତ ଓ ଚୀନ ମଧ୍ୟରେ ସମ୍ପର୍କରେ ଧିରେ ଧିରେ ସୁଧାର ଆସୁଛି । ଏମିତି ସମୟରେ ଏକତରଫା କାହାଣୀ ଥିବା ଫିଲ୍ମ ସ୍ଥିତିକୁ ଖରାପ କରିପାରେ । ସେ କହିଛନ୍ତି, ଯେତେ ବଢ଼ାଇ ଚଢ଼ାଇ ଫିଲ୍ମରେ ଦେଖାଇଲେ ବି ଆମ ଦେଶର ପବିତ୍ର ଭୂମିର ସତକୁ ବଦଳା ଯାଇପାରିବନାହିଁ । ଏହାଦ୍ବାରା ଆମ ଜମି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

ଗଲଓ୍ବାନରେ କ’ଣ ହୋଇଥିଲା ?

୨୦୨୦ ଜୁନ ୧୫ ଓ ୧୬ ରାତିରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ହିଂସକ ସଂଘର୍ଷ ଘଟିଥିଲା । ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିଲେ । ଆଷ୍ଟ୍ରେଲିଆ ଖବରକାଗଜ ଅନୁସାରେ ଏହି ସଂଘର୍ଷରେ ଚୀନର ୩୮ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିଲା । ହେଲେ ଚୀନ ସରକାରୀ ସ୍ତରରେ ଏହାକୁ ଆଜି ଯାଏଁ ସ୍ବୀକାର କରିନାହିଁ । ଏହି ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଆସିଥିଲା । ଏହାପରେ ଭାରତ ଏକାଧିକ ଚୀନୀ କମ୍ପାନୀଙ୍କ ଉପରେ ବାନ ଲଗାଇ ଥିଲା । ଏପରିକି ଚୀନକୁ ବିମାନ ସେବା ବି ବନ୍ଦ କରି ଦିଆଯାଇଥିଲା ।

Latest Posts

Don't Miss