୮୦ ବର୍ଷ ବୟସରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ
ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଦେହାନ୍ତ । ୮୦ ବର୍ଷ ବୟସରେ ଖାଲିଦାଙ୍କ ପରଲୋକ ହୋଇଛି । ଦୀର୍ଘ ସମୟ ଧରି ରୋଗରେ ପୀଡ଼ିତ ଥିଲେ । ବାଂଲାଦେଶ ନ୍ୟାସନାଲ ପାର୍ଟି BNP ଅଧ୍ୟକ୍ଷ ଥିଲେ ଖାଲିଦା ଜିଆ । ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ଖାଲିଦା । ଆଜି ସକାଳ ୬ଟାରେ ଖାଲିଦାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ବଡ଼ କଥା ହେଲା ବାଂଲାଦେଶରେ ଫେବୃଆରୀରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଗତକାଲି ଥିଲା ନାମାଙ୍କନ ଭରିବାର ଶେଷ ତାରିଖ । ଅସୁସ୍ଥ ଥିବା ସତ୍ତ୍ବେ ଖାଲିଦା ତିନୋଟି ସ୍ଥାନରୁ ନାମାଙ୍କନପତ୍ର ଦାଖଲ କରିଥିଲେ ।
ଗତ ମାସେ ହେବ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେ ଦୁଇ ଥର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ, ପ୍ରଥମେ ୧୯୯୧ରୁ ୧୯୯୬ ଏବଂ ଦ୍ୱିତୀୟ ଥର ୨୦୦୧ରୁ ୨୦୦୬ ଯାଏଁ ଶାସନରେ ଥିଲେ । ତାଙ୍କ ସ୍ୱାମୀ ଜିଆଉର ରହମାନ ଥିଲେ ଜଣେ ସାମରିକ ଅଧିକାରୀ ଏବଂ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି । ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବା ବିଏନପି ପ୍ରତିଷ୍ଠା କରିଥିଲେ । ୧୯୮୧ରେ ତାଙ୍କୁ ହତ୍ୟା କରାଯାଇଥିଲା । ସେବେଠାରୁ, ବେଗମ ଖାଲିଦା ଜିଆ ଦଳର ନେତୃତ୍ୱ ନେଇଥିଲେ । ବର୍ତ୍ତମାନ, ତାଙ୍କ ପୁଅ ତାରିକ ରହମାନ ଦଳର ନେତୃତ୍ୱ ନେଉଛନ୍ତି । ସେ ୧୭ ବର୍ଷ ଧରି ଦେଶରୁ ଦୂରରେ ରହିବା ପରେ ବାଂଲାଦେଶ ଫେରିଛନ୍ତି ।
ଖାଲିଦାଙ୍କ ଜନ୍ମ ୧୫ ଅଗଷ୍ଟ ୧୯୪୫ ମସିହାରେ ହୋଇଥିଲା । ବାଂଲାଦେଶୀ ରାଜନୀତିରେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲେ ଖାଲିଦା । ବାଂଲାଦେଶର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କର ମୁଖ୍ୟ ବିରୋଧୀ ଥିଲେ । ଶେଖ୍ ହସିନା ଗତ କିଛି ବର୍ଷ ଧରି ଦେଶକୁ ଶାସନ କରିଥିଲେ । ଏହି ସମୟ ମଧ୍ୟରେ ଖାଲେଦା ଜିଆଙ୍କୁ ଅନେକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଶେଖ୍ ହସିନାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ଦୀର୍ଘ ସମୟ ଧରି ଗୃହବନ୍ଦୀ ରହିଥିଲେ । ଗତବର୍ଷ ଶେଖ୍ ହସିନାଙ୍କୁ କ୍ଷମତାରୁ ବହିଷ୍କାର କରାଯିବା ପରେ ତାଙ୍କୁ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ମୁକ୍ତ କରିଥିଲା । କିନ୍ତୁ, ତାଙ୍କର ବାର୍ଦ୍ଧକ୍ୟ ଏବଂ ଖରାପ ସ୍ୱାସ୍ଥ୍ୟ ଯୋଗୁଁ ସେ ରାଜନୀତିରୁ ଦୂରେଇ ରହିଥିଲେ ।

