spot_img

Latest Posts

ମିଳୁନି ଆବାସ : ଭଙ୍ଗାଦଦରା ଘରେ କାଳ କାଟୁଛନ୍ତି ୩ ପ୍ରାଣୀ କୁଟୁମ୍ବ

ଆସିକା : ବାଟବଣା ସରକାରଙ୍କ ଆବାସ ଯୋଜନା । ଗରିବ ମୁଣ୍ଡକୁ ମିଳୁନି ଛାତ । ଭଙ୍ଗାଦଦରା ଘରେ ବିତୁଛି ୩ ପ୍ରାଣୀଙ୍କ ଜୀବନ । ଗଞ୍ଜାମ ଧରାକୋଟ ବ୍ଲକ ବାହାଁରପୁର ପଞ୍ଚାୟତ କାଠଗଡା ଗାଁର ୬୫ ବର୍ଷୀୟ ନାରାୟଣ ଜେନାଙ୍କ ପାଖେ ଆଜି ବି ପହଞ୍ଚିନି ପକ୍କା ଘର । ଚାଳ ଛପର ଘରେ ପାଲ ଟାଣି ବହୁ କଷ୍ଟରେ ନାରାୟଣ ତାଙ୍କ ସ୍ତ୍ରୀ ଓ ଅବିବାହିତା ଝିଅକୁ ଧରି ଚଳୁଛନ୍ତି । ଘରର କାନ୍ଥ ସବୁ ଫାଟି ଆଁ କରିଥିବା ବେଳେ ଘର ଭିତରୁ ସୂର୍ଯ୍ୟ ଜଳଜଳ ହୋଇ ଦିଶୁଛନ୍ତି । ଅନେକ ସମୟରେ ଘରେ ସାପ ବେଙ୍ଗ ମଧ୍ୟ ପଶୁଛନ୍ତି । କେତେବେଳେ ଘର ଭୁଶୁଡି ପଡିବ ତାହା କହିବା ବି ମୁସ୍କିଲ । ସେସବୁ ମଧ୍ୟରେ ଜୀବନକୁ ବାଜି ଲଗାଇ ଭଙ୍ଗା ଘରେ ଆଶ୍ରୟ ନେଉଛନ୍ତି ନାରାୟଣଙ୍କ ପରିବାର ।

ନାରାୟଣଙ୍କୁ ରାସନ ଚାଉଳ ସାଙ୍ଗକୁ ମାସିକ ଭତ୍ତା ଆକାରରେ ଏକ ହଜାର ଟଙ୍କା ମିଳୁଛି । ଯେଉଁଥିରେ ପରିବାର ଚଳାଇବା ସମ୍ଭବ ହେଉନଥିବାରୁ ଅବିବାହିତ ଝିଅ ଅନ୍ୟର ମୂଲ ଲାଗି ଓ କାଠ ବିକ୍ରି କରି ପରିବାର ଚଳାଉଛନ୍ତି । ନାରାୟଣ ଘର ଖଣ୍ଡେ ପାଇଁ ସ୍ଥାନୀୟ ନେତାଙ୍କ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡିଲେଣି । ହେଲେ ଗରିବଙ୍କ ଗୁହାରୀ ଶୁଣୁଛି କିଏ ? ଅନ୍ୟପଟେ ନାରାୟଣ ଘର ପାଇବାକୁ ଯୋଗ୍ୟ ଥିଲେ ତୁରନ୍ତ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଧରାକୋଟ ବିଡିଓ । ନାରାୟଣଙ୍କ ପରିବାରକୁ ଦେଖିଲେ ପ୍ରଶ୍ନ ଉଠେ- ଆବାସ ଯୋଜନା କାହା ପାଇଁ ? ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି ? ଗରିବ ଲୋକଙ୍କ ପାଖେ ଘର ପହଞ୍ଚିପାରୁନି କାହିଁକି ? ନା ପ୍ରଶାସନର ଦାୟିତ୍ଵହୀନତାରୁ ଯୋଜନା ପଥଭ୍ରଷ୍ଟ ହେଉଛି ।

Latest Posts

Don't Miss