ଚାକିରୀ ପାଇଁ ଆସିଥିଲେ, ହେଲେ ମିଳିଲା ଶବ । ହୋଟେଲ ରୁମରୁ ମିଳିଲା ମୃତଦେହ । ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସର ତଦନ୍ତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦାନ୍ତିଆମୁଁହା ଫାଣ୍ଡି ଜାମବଣୀ ଅଞ୍ଚଳର ଆକାଶ ମହାନ୍ତ । ଦୁଇଦିନ ତଳେ ବନ୍ଧୁ ଓ ଜଣେ ମହିଳାଙ୍କ ସହ ଆଧାର କାର୍ଡ ଦେଖାଇ ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ହୋଟେଲର ୫୦୨ ନମ୍ବର ରୁମକୁ ନେଇଥିଲେ । ତେବେ ଦୁଇଦିନ ହେଲା କବାଟ ବନ୍ଦ ଥିବା ଦେଖି ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ହୋଟେଲ କର୍ତ୍ତୃପକ୍ଷ । ପୋଲିସ ପହଞ୍ଚି ରୁମ୍ ଖୋଲି ମୃତଦେହ ବେଡ ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସାଇଣ୍ଟିଫିକ ଟିମ ସହାୟତାର ତଦନ୍ତ ଚାଲିଥିବାବେଳେ ମୃତ ଆକାଶଙ୍କ ବନ୍ଧୁ ରାମଚନ୍ଦ୍ର ସିଂକୁ ପୋଲିସ ଥାନାରେ ଅଟକ ରଖିଛି ।
ଚାକିରୀ ପାଇଁ ବାଲେଶ୍ବର ଆସିଥିଲେ ଉଭୟ ବନ୍ଧୁ । ମହିଳାଙ୍କୁ ରାସ୍ତାରୁ ପିକଅପ କରିଥିଲେ । ତେବେ ମହିଳା ଜଣକ ଫେରାର ଥିବାରୁ ତାଙ୍କୁ ଖୋଜୁଛି ପୋଲିସ । ଦୁଇ ଯୁବକଙ୍କ ସହ ମହିଳା ରାତିରେ ରୁମରେ ରହିଥିଲେ । ପରୀକ୍ଷା ଥିବା କହି ଉଭୟେ ଘରୁ ଆସିଥିବା କହିଛନ୍ତି ପରିବାର ଲୋକେ । ତେବେ ସାଙ୍ଗରେ ଆସିଥିବା ପଡ଼ୋଶୀ ରାମଚନ୍ଦ୍ର ହିଁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ଆକାଶଙ୍କ ପତ୍ନୀ । ସେପଟେ ସେମାନେ ଦେଇଥିବା ଆଧାର କାର୍ଡ ନକଲି ବୋଲି ପୋଲିସ ଜାଣିବାକୁ ପାଇଛି । ଏବେ ପ୍ରଶ୍ନ ଉଠୁଛି କିଏ ସେହି ମହିଳା ? ରାସ୍ତାରୁ ତାଙ୍କୁ କେଉଁ ଉଦ୍ଦେଶ୍ୟରେ ଆଣିଥିଲେ ଦୁଇବନ୍ଧୁ ? କିଛି ମନ୍ଦ ଉଦ୍ଦେଶ୍ୟ ରଖି ରୁମ ନେଇ ଥିଲେ କି ? ମହିଳାଙ୍କୁ ଠିକଣା ମିଳିବା ପରେ ଏସବୁ ଉପରୁ ପରଦା ଉଠିବ ବୋଲି କହିଛି ପୋଲିସ ।

