ଚିନ୍ତା ବଢ଼ାଇଲାଣି ଟ୍ରାଫିକ ସମସ୍ୟା । ଅଣନିଃଶ୍ବାସୀ ସହରବାସୀ। ଘଣ୍ଟା ଘଣ୍ଟା ଧରି ଲାଗି ରହୁଛି ଜାମ୍। ବାଇପାସ ନିର୍ମାଣ ପାଇଁ ଦାବି । ଗଞ୍ଜାମ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ହିଞ୍ଜିଳିକାଟୁରେ ବୃଦ୍ଧି ପାଉଛି ଟ୍ରାଫିକ ସମସ୍ୟା। ବ୍ୟସ୍ତ ବହୁଳ ବିଜୁ ପଟ୍ଟନାୟକ ଛକ ଠାରୁ ତାରାତାରିଣୀ ରୋଡ୍ ପର୍ଯ୍ୟନ୍ତ ଲାଗି ରହୁଛି ସାଂଘାତିକ ଜାମ୍। କେତେବେଳେ ଦୁର୍ଘଟଣା ଘଟୁଛି ତ କେତେବେଳେ କାହାର ଜୀବନ ଯାଉଛି । ଟ୍ରାଫିକ ସମସ୍ୟା ଦୂର ପାଇଁ ବିଜୁ ପଟ୍ଟନାୟକ ଛକରେ ପୋଲିସ ମୁତୟନ ହୋଇଥିଲେ ମଧ୍ୟ ସ୍ଥିତି ଯଥା ପୂର୍ବଂ ତଥା ପରଂ। ସହରର ମୁଖ୍ୟ ରାସ୍ତା ଦେଇ ଜାତୀୟ ରାଜପଥ ୫୯ ଯାଇଥିବା ବେଳେ ପ୍ରତିଦିନ ଶହଶହ ଭାରିଯାନ ଗଡୁଥିବାରୁ ଦୁର୍ଘଟଣା ବଢୁଛି। ତୁରନ୍ତ ବାଇପାସ ନିର୍ମାଣ ପାଇଁ ହିଞ୍ଜିଳିକାଟୁ ବିକାଶ ମଞ୍ଚ ପକ୍ଷରୁ ଦାବି ହୋଇଛି।
ବିଜୁ ପଟ୍ଟନାୟକ ଛକ ଠାରୁ ତାରାତାରିଣୀ ରାଜ୍ୟ ରାଜପଥ ୩୬ ରାସ୍ତାରେ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ ଓ କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ପ୍ରତିଦିନ ହଜାର ହଜାର ବିଦ୍ୟାର୍ଥୀ ଏହି ରାସ୍ତାରେ ସ୍କୁଲ ଯିବା ଆସିବା କରନ୍ତି। ଶିକ୍ଷାନୁଷ୍ଠାନ ନିକଟରେ ବଡ଼ ବଡ଼ ଗାଡି ପାର୍କିଂ ହେତୁ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଉଛି। ଭାରିଯାନ ପ୍ରବେଶ ଉପରେ କୌଣସି କଟକଣା ନଥିବାରୁ ଦୁର୍ଘଟଣା ଘଟିବା ସହ ବିଦ୍ୟାର୍ଥୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହୁଛି। ତେଣୁ ଭାରୀଯାନ ପ୍ରବେଶ ନିଷେଧ ସହିତ ସ୍ଥାୟୀ ସମାଧାନ ପାଇଁ ଦାବି ହୋଇଛି ।

