ପାଖେଇ ଆସୁଛି ବାଂଲାଦେଶ ନିର୍ବାଚନ। ସେପଟେ ଦେଶରେ ଅବାଧ, ମୁକ୍ତ ନିର୍ବାଚନ ଲାଗି ପ୍ରସ୍ତାବ ଦେଇଛି ଭାରତ। ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢିଚାଲିଥିବାରୁ ଏନେଇ ଆଶଙ୍କା ବ୍ୟକ୍ତ କରିଛି ଭାରତ। ସେପଟେ ଫରିଦପୁରରେ ଗାୟକ ନାଗର ବାଉଲ ଜେମସଙ୍କ ଏକ ସଂଗୀତ କାର୍ଯ୍ୟକ୍ରମ ଉପରେ ଆକ୍ରମଣ କରିଛନ୍ତି ଉତ୍ତ୍ୟକ୍ତ ଜନତା। ଏହାକୁ ନେଇ ବାଂଲାଦେଶରେ କଳାକାର ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସଂଗୀତକୁ କାହିଁକି ଟାର୍ଗେଟ କରାଯାଉଛି ବୋଲି ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ। ଫରିଦପୁରର ଏକ ସ୍କୁଲ ପରିସରରେ ଜେମସଙ୍କ ରକ୍ କନସର୍ଟ ଆୟୋଜିତ ହେବାର ଥିଲା। ମାତ୍ର କିଛି ଲୋକ ସେଠାରେ ପହଞ୍ଚି ଇଟା ମାଡ଼ କରିବା ସହ କାର୍ଯ୍ୟକ୍ରମକୁ ବନ୍ଦ କରିଥିଲେ। ବାଂଲାଦେଶର ଗୁରୁ ଅଫ ରକ୍ ନାମରେ ବେଶ ଜଣାଶୁଣା ଜେମସଙ୍କ କାର୍ଯ୍ୟକ୍ରମ ଉପରେ ହୋଇଥିବା ଆକ୍ରମଣକୁ ବିଭିନ୍ମ ମହଲରେ ନିନ୍ଦା କରାଯାଇଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ସେପଟେ ଘଟଣାକୁ ଗୁରୁତ୍ଵର ସହ ନେଇଛି ଭାରତ। ଆକ୍ରମଣ ଘଟଣାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କହିଛି ଭାରତ। ବାଂଲାଦେଶରେ ହିଂସା ଆରମ୍ଭ ହେବା ପରଠାରୁ ଦୁଇ ଦୁଇ ଜଣ ହିନ୍ଦୁଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଭାରତ ବାଂଲାଦେଶର ନାଗରିକଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବାକୁ ପ୍ରତିବଦ୍ଧ ବୋଲି କହିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ଵାଲ। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହିଂସା ଚିନ୍ତାର ବିଷୟ। ଦୀପୁ ଦାସଙ୍କ ହତ୍ୟାକୁ ନିନ୍ଦା କରୁଛି ଭାରତ। ଅପରାଧୀମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଆଶା କରୁଛୁ ବୋଲି କହିଛି ଭାରତ। ବାଂଲାଦେଶରେ ବର୍ତ୍ତମାନର ସରକାରରେ ହତ୍ୟା, ପୋଡ଼ାଜଳା ଏବଂ ଜମି ହଡ଼ପ ଭଳି ୨ ହଜାର ୯୦୦ ଘଟଣା ରିପୋର୍ଟ ହୋଇଛି। ଭାରତ ବାଂଲାଦେଶରେ ମୁକ୍ତ, ନିରପେକ୍ଷ ନିର୍ବାଚନ ଆଶା କରୁଛି। ଭାରତ ବାଂଲାଦେଶର ନାଗରିକଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ପ୍ରତିବଦ୍ଧ। ସେଠାରେ ଶାନ୍ତି ଏବଂ ସ୍ଥିରତା ଆଶା କରୁଛି ବୋଲି କହିଛି ଭାରତ। ଏଥିରେ ସମସ୍ତ ବର୍ଗର ଲୋକ ଅଂଶଗ୍ରହଣ କରିବା ଉଚିତ। ସେପଟେ ଗତକାଲି କୋଲକାତାରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି।

