ନନ୍ଦିଘୋଷ ବ୍ୟୁରୋ : କାଲିଠୁ ଦୁଲୁକିବ ବରଗଡ଼। ସର୍ବ ବୃହତ ଖୋଲା ରଙ୍ଗମଞ୍ଚରେ ଶୁଭିବ ମହାରାଜ କଂସଙ୍କ ଅଟ୍ଟ ହାସ୍ୟ। ବରଗଡ଼ ପାଲଟିବ ମଥୁରାନଗରୀ, ଗୋପପୁର ପାଲଟିବ ଅମ୍ବାପାଲି। ବରଗଡ଼ ଧନୁଯାତ୍ରା ଚଳିତଥର ୭୮ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହା ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ । ଯାହାକୁ ନେଇ ସାରା ବରଗଡ଼ ସହର ଚଳଚଂଚଳ । ଏଥିପାଇଁ ବରଗଡ଼ ହାଟପଦା ଠାରେ ମହାରାଜ କଂସଙ୍କ ପ୍ରାୟ ୮୦ଫୁଟ ଉଚ୍ଚତା ଏବଂ ୧୨୦ ଫୁଟ ପ୍ରସ୍ଥର ରାଜଦରବାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ କଂସଙ୍କ ରାଜଦରବାରକୁ ଜୈସଲମେର ଦୁର୍ଗ ରୂପରେ ସଜାଯାଇଛି। ସେହିପରି ସ୍ଥାନୀୟ ଲୋକମଣ୍ଡପ ପଡ଼ିଆରେ ମହାରାଜ କଂସଙ୍କ ରଙ୍ଗ ମହଲର ନିର୍ମାଣ ଚାଲିଛି। ଏଥର ରଙ୍ଗ ମହଲକୁ ଜୟପୁର ପ୍ୟାଲେସର ରୂପ ଦିଆଯାଉଥିବାରୁ ଅଧିକ ଆକର୍ଷଣୀୟ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବରଗଡ଼ର ପ୍ରାୟ ସାତ କିଲୋମିଟର ପରିଧି ମଧ୍ୟରେ ବିଭିନ୍ନ ମଂଚରେ ଏହି ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ। କଂସ ଦରବାର, ରଂଗମହଲ ଓ ନନ୍ଦ ଦରବାରରେ ପ୍ରତିଦିନ ଧନୁଯାତ୍ରାର ଦୃଶ୍ୟଗୁଡ଼ିକ ଅଭିନୀତ କରାଯିବ। ଏହାକୁ ଦୃଷ୍ଟିରେ ରଖି କମିଟି ଏହି ତିନୋଟି ମଂଚର ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦେଇଛି। ସେହିପରି ମୀନା ବଜାର ପଡିଆରେ ବାହାର ବ୍ୟବସାୟୀଙ୍କ ପାଇଁ ଜମି ଆଲର୍ଟମେଣ୍ଟ ହୋଇସାରିଛି। ସେହିପରି ସହରର ପ୍ରବେଶ ଦ୍ଵାରରେ ଧନୁଯାତ୍ରା ସ୍ଥାୟୀ ତୋରଣ ନିର୍ମାଣ କରାଯିବା ସହ ସହରର ମୁଖ୍ୟ ରାସ୍ତା ଗୁଡ଼ିକୁ ପ୍ରଶସ୍ତ କରାଯାଇଛି। ୧୯୦ ଟି ସାଂସ୍କୃତିକ ଦଳ ମଞ୍ଚ ଗୁଡ଼ିକରେ ତାଙ୍କ କଳା ପ୍ରଦର୍ଶନ କରିବେ।

