spot_img

Latest Posts

MNREGAର ନାମ ପରିବର୍ତ୍ତନକୁ ସାରା ଦେଶରେ ଜୋରଦାର ବିରୋଧ

ନନ୍ଦିଘୋଷ ବ୍ୟୁରୋ: ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ବା ମନରେଗା ନାମକରଣ ବଦଳାଇବା ଓ ଯୋଜନାର ରୂପରେଖ ବିକୃତ କରିବା ପ୍ରତିବାଦରେ ସାରା ଦେଶରେ ପ୍ରତିବାଦ ଜୋର ଧରିଛି । ଭୁବନେଶ୍ବର ଓ କଟକରେ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ରାଜାରସ୍ତାରେ ୪ ବାମପନ୍ଥୀ ଦଳ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂତ୍ତି ତଳେ ଧାରଣା ଦେଇ ବିକ୍ଷୋଭ କରିଛି କଂଗ୍ରେସ ।

MNREGAର ନାମ ପରିବର୍ତ୍ତନକୁ ସାରା ଦେଶରେ ଜୋରଦାର ବିରୋଧ । ଦିଲ୍ଲୀଠାରୁ ପଲ୍ଲୀ ସବୁଠି ପ୍ରତିବାଦର ସ୍ବର । ଜାତିର ପିତାଙ୍କୁ ଅପମାନ ସହ ଯୋଜନାର ରୂପରେଖ ବିକୃତ କରିବା ଉଦ୍ୟମ ଅଭିଯୋଗ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ସଂଯୋଜନାରେ ଶତାଧିକ କର୍ମୀ ଓ ନେତା ଜୟଦେବବିହାର ସ୍ଥିତ ମହାତ୍ମାଗାନ୍ଧୀ ପାର୍କରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ବସି ପ୍ରତିବାଦ କରିଛନ୍ତି । ୨୦୦୫ ରେ ଆରମ୍ଭ ହୋଇଥିବା ମନରେଗା କାର୍ଯ୍ୟକ୍ରମ ପରେ ଏହା ଏକ କର୍ମ ନିଯୁକ୍ତି ଆଇନରେ ପରିଣତ ହୋଇଥିଲା । କାର୍ଯ୍ୟକାରୀ ହେବାର ୨୦ ବର୍ଷ ପରେ ମହାତ୍ମା ଗାନ୍ଧୀ ଙ୍କ ନାମକୁ ହଟାଇ ଭିବି ଜି ରାମ ଜି କରିଛନ୍ତି ସରକାର । ସେପଟେ  ଏହାକୁ ତୁରନ୍ତ ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛି କଟକ ଜିଲ୍ଲା କଂଗ୍ରେସ ଏବଂ ନଗର କଂଗ୍ରେସ କମିଟି ।

ସେପଟେ ଭିବି ଜି ରାମ ଜି ବିଲ ପ୍ରତ୍ୟାହାର ଓ ମନରେଗା ଆଇନ ସୁରକ୍ଷା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ବାମପନ୍ଥୀ । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ CPIM, CPI, CPMIL ଓ ଲିବେରେସନ ଫରୱାର୍ଡ଼ ବ୍ଲକର ଶତାଧିକ ନେତା ଓ କର୍ମୀ ସାମିଲ ହୋଇ ପ୍ରତିବାଦ କରିଛନ୍ତି । ସେପଟେ ମନରେଗା ଯୋଜନା ନାମ ପରିବର୍ତ୍ତନ, ବିଧାୟକ ମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ଏବଂ ଅତିରିକ୍ତ ବିଦ୍ୟୁତ୍ ସୁରକ୍ଷା ଶୁଳ୍କକୁ ବିରୋଧ କରି କଟକ ଜିଲ୍ଲାପାଳଙ୍କ ଅଫିସ ଆଗରେ ବାମଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କେନ୍ଦ୍ର ସରକାର ତୁରନ୍ତ ମନରେଗାକୁ କାର୍ଯ୍ୟକାରୀ କରି ଗ୍ରାମାଞ୍ଚଳ ଲୋକଙ୍କୁ ଅନ୍ୟୁନ ବର୍ଷକୁ ୨ ଶହ ଦିନ କର୍ମ ନିଯୁକ୍ତି, ମଜୁରୀ ପାରିଶ୍ରମିକ ବୃଦ୍ଧି, କାର୍ଯ୍ୟ ନ ପାଇଲେ ଶ୍ରମିକଙ୍କୁ ବେରୋଜଗାର ଭତ୍ତା ପ୍ରଦାନ ଦାବିରେ ରାଉରକେଲାରେ ମଧ୍ଯ ବିକ୍ଷୋଭ କରିଛି ଦଳ।

Latest Posts

Don't Miss