କ୍ରିକେଟକୁ ନେଇ ବଡ଼ ଖବର: ମୁହାଁମୁହିଁ ହେବେ ଗିଲ-ସୂର୍ଯ୍ୟକୁମାର
ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ପରେ ଯେମିତି ସୋସିଆଲ ମିଡ଼ିଆରେ ଶୁବମନ ଗିଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ପୋଷ୍ଟ କଣ୍ଟ୍ରେଷ୍ଟ ଲାଗି ଯାଇଛି । ଉଭୟଙ୍କ ପ୍ରଶଂସକ ନିଜ ନିଜ ପ୍ରିୟ ଖେଳାଳିଙ୍କୁ ନେଇ ନାନା ପ୍ରକାର ପୋଷ୍ଟ କରୁଛନ୍ତି । କାରଣ ୨୦୨୬ ଟି-୨୦ ବିଶ୍ବକପ୍ ପାଇଁ ଭାରତୀୟ ଦଳରେ ଗିଲଙ୍କୁ ସ୍ଥାନ ମିଳି ନଥିବା ବେଳେ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରାଯାଇଛି । ଆଉ ଯାହାକୁ ଗିଲଙ୍କ ଫ୍ୟାନ୍ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଉ ଏମିତି ସ୍ଥିତିରେ ଗିଲ ଏବଂ ସୂର୍ଯ୍ୟକୁମାରଙ୍କୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ବିଶ୍ବକପ୍ ଇନ-ଆଉଟ କେଁ ଭିତରେ ଉଭୟ ପଡ଼ିଆରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆଜ୍ଞା ହଁ ଗିଲ ଏବଂ ସୂର୍ଯ୍ୟକୁମାର ବିଜୟ ହଜାରେ ଟ୍ରଫିରେ ସାମ୍ନାସାମ୍ନି ହେବେ । ଖବର ଅନୁସାରେ ଜାନୁଆରୀ ୬ ଓ ୮ ତାରିଖରେ ସୂର୍ଯ୍ୟକୁମାର ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ଟିମରୁ ଖେଳିବା ସ୍ପଷ୍ଟ ହୋଇଛି । ଆଉ ୮ ଜାନୁଆରୀରେ ମୁମ୍ବାଇର ଟକ୍କର ପଞ୍ଜାବ ସହ ରହିଛି । ଅର୍ଥାତ ମୁମ୍ବାଇରୁ ସୂର୍ଯ୍ୟକୁମାର ଏବଂ ପଞ୍ଜାବରୁ ଗିଲଙ୍କ ମଧ୍ୟରେ ପଡ଼ିଆରେ ଟକ୍କର ଦେଖିବାକୁ ମିଳିବ ।
ମୁମ୍ବାଇ ଟିମରେ ଦୁଇଟି ପରିବର୍ତ୍ତନ
ମୁମ୍ବାଇ ବିଜୟ ହଜାରେ ଟ୍ରଫିର ଆରମ୍ଭ ଡିସେମ୍ବର ୨୪ ତାରିଖରୁ ଜୟପୁରରୁ କରିବ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଖବର ମିଳିଛି ମୁମ୍ବାଇ ଟିମରେ ଦୁଇ ଜଣ ବଡ଼ ଖେଳାଳି ଖେଳିବେ । ଟି-୨୦ ବିଶ୍ବକପ୍ ସ୍କ୍ବାର୍ଡରେ ସ୍ଥାନ ପାଇଥିବା ସୂର୍ଯ୍ୟକୁମାରଙ୍କ ସହ ଶିବମ ଦୁବେ ଏହି ଦୁଇଟି ମ୍ୟାଚରେ ମୁମ୍ବାଇର ପ୍ଲେଇଂ ଇଲେଭେନରେ ରହିବେ ବୋଲି ମୁମ୍ବାଇ କ୍ରିକେଟ ଆସୋସିଏସନ ସ୍ପଷ୍ଟ କରିଛି । ଆସୋସିଏସନର ଅଧିକାରୀ କହିଛନ୍ତି, ସୂର୍ଯ୍ୟକୁମାର ଏବଂ ଦୁବେ ଆମକୁ ୬ ଓ ୮ ତାରିଖ ମ୍ୟାଚ୍ ଖେଳିବାକୁ କହିଛନ୍ତି । ସେମାନଙ୍କ ନାଁ ମୁମ୍ବାଇ ଟିମରେ ସାମିଲ କରାଯିବ । ରୋହିତ ଶର୍ମା ଲିଗର ଦୁଇଟି ମ୍ୟାଚ୍ ଖେଳିବେ । ସିକ୍କିମ ଓ ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚରେ ରୋହିତ ଖେଳି ପାରନ୍ତି । ଯାହା ୨୪ ଓ ୨୬ ଡିସେମ୍ବରକୁ ଖେଳାଯିବ ।
ସୂର୍ଯ୍ୟକୁମାର-ଗିଲଙ୍କ ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ ବିଜୟ ହଜାରେ ଟ୍ରଫି ?
ବିଜୟ ହଜାରେ ଟ୍ରଫି ଉଭୟ ଶବମନ ଗିଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । କାରଣ ଉଭୟ ଏବେ ଖରାପ ଫର୍ମରେ ରହିଛନ୍ତି । ୨୦୨୫ରେ ଗିଲ ଗୋଟିଏ ବି ଟି-୨୦ରେ ଅର୍ଦ୍ଧଶତକ ଲଗାଇ ନାହାନ୍ତି । ଆଉ ଏହାର ଫଳ ତାଙ୍କୁ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ବକପ୍ ଟିମରୁ ବାହାର ହୋଇ ଚୁକାଇବାକୁ ପଡ଼ିଛି । ସେହିପରି ଗତ ଦୁଇ ବର୍ଷ ହେବ ଟି-୨୦ ଫର୍ମାଟରେ ସୂର୍ଯ୍ୟକୁମାର ଫ୍ଲପ୍ ହୋଇ ଚାଲିଛନ୍ତି । ଏମିତି ସ୍ଥିତିରେ ବିଶ୍ବକପ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଫର୍ମକୁ ଫେରିବା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି ।

