ବଢ଼ିଲା ଟ୍ରେନ ଯାତ୍ରା ଭଡ଼ା, ଡିସେମ୍ବର ୨୬ରୁ ହେବ ଲାଗୁ
ନନ୍ଦିଘୋଷ ବ୍ୟୁରୋ: ବଢ଼ିଲା ଟ୍ରେନ ଯାତ୍ରୀ ଭଡ଼ା । ରେଳବାଇ ଯାତ୍ରା ଭଡ଼ା ବୃଦ୍ଧି କଲେ ସରକାର । ଆସନ୍ତା ୨୬ ତାରିଖରୁ ଟ୍ରେନ ଭଡ଼ା ବୃଦ୍ଧି ଲାଗୁ କରାଯିବ । ୨୧୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ସାଧାରଣ ଶ୍ରେଣୀ ଟିକେଟର ମୂଲ୍ୟ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ୨୧୫ କିଲୋମିଟରରୁ ଅଧିକ ଦୂରତା ପାଇଁ ପ୍ରତି କିଲୋମିଟରରେ ୧ ପଇସା ଅଧିକ ଦେବାକୁ ପଡିବ । ମେଲ୍ କିମ୍ବା ଏକ୍ସପ୍ରେସ୍ ଟ୍ରେନରେ ନନଏସି କୋଚ୍ ପାଇଁ ପ୍ରତି କିଲୋମିଟରରେ ୨ ପଇସା ବୃଦ୍ଧି ହେବ । ଏସି କୋଚ୍ରେ ଯାତ୍ରାର ମୂଲ୍ୟ ମଧ୍ୟ ପ୍ରତି କିଲୋମିଟରରେ ୨ ପଇସା ବୃଦ୍ଧି କରାଯାଇଛି ।
ନୂତନ ଦର ଲାଗୁ ହେବା ପରେ ନନ୍ ଏସି କୋଚରେ ୫୦୦ କିଲୋମିଟର ଯାତ୍ରା ପାଇଁ ଅଧିକ ୧୦ ଟଙ୍କା ବୃଦ୍ଧି ପାଇଛି । ଏହାଦ୍ବାରା ରେଳବାଇର ବାର୍ଷିକ ଆୟ ୬୦୦ କୋଟି ଟଙ୍କା ବୃଦ୍ଧି ପାଇବ । ରେଲୱେରେ ମାନବ ସମ୍ବଳ ଖର୍ଚ୍ଚ ୧ ଲକ୍ଷ ୧୫ ହଜାର କୋଟି ଓ ପେନସନ ଖର୍ଚ୍ଚ ୬୦ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ପରିଚାଳନା ଖର୍ଚ୍ଚ ୨ ଲକ୍ଷ ୬୩ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହି ମାନବ ସମ୍ବଳ ମୂଲ୍ୟ ବୃଦ୍ଧିକୁ ପୂରଣ କରିବା ପାଇଁ ରେଳବାଇ ପରିବହନ ଲୋଡିଂ ବୃଦ୍ଧି ଏବଂ ଯାତ୍ରୀ ଭଡ଼ା ବୃଦ୍ଧି ଉପରେ ଧ୍ୟାନ ଦେଉଛି । ପୂର୍ବରୁ, ରେଳବାଇ ଜୁଲାଇ ମାସରେ ଭଡ଼ା ବୃଦ୍ଧି କରିଥିଲା । ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନରେ ନନ୍ ଏସି ଶ୍ରେଣୀର ଭଡ଼ା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇଥିଲା ଏବଂ ଏସି କୋଚରେ ଯାତ୍ରା କିଲୋମିଟର ପିଛା ୨ ପଇସା ମହଙ୍ଗା ହୋଇଥିଲା । ଏହା ପୂର୍ବରୁ ଜାନୁଆରୀ ପହିଲା ୨୦୨୦ରେ ଟ୍ରେନ ଭଡା ବୃଦ୍ଧି କରାଯାଇଥିଲା ।

