spot_img

Latest Posts

ଶ୍ରଦ୍ଧାଳୁଙ୍କ ଆଶା ଓ ଭରସା କାଞ୍ଜିପାଣି: ବିଭିନ୍ନ ପେଟ ରୋଗରୁ କରୁଛି ସୁସ୍ଥ

ଶ୍ରଦ୍ଧାଳୁଙ୍କ ଆଶା ଓ ଭରସା କାଞ୍ଜିପାଣି । ବିଭିନ୍ନ ପେଟ ରୋଗରୁ କରୁଛି ସୁସ୍ଥ । କେନ୍ଦ୍ରାପଡ଼ା ଚକ୍ରୋଡା ପଞ୍ଚାୟତ କନ୍ତିଆ ମଠରେ ଥିବା ମହାପୁରୁଷ ମଧୁଦାସଙ୍କ ପୀଠରେ ରହିଛି ଅଦ୍ଭୁତ କାଞ୍ଜିପାଣି ସେବନ ବିଧି । ବିଭିନ୍ନ ପେଟରୋଗରୁ ମୁକ୍ତି ପାଇବା ପାଇଁ ଏଠାକୁ ଧାଇଁ ଆସନ୍ତି । ଦୁଇଶହ ବର୍ଷରୁ ଅଧିକ ପୁରୁଣା ଲୋକଶୃତି ଅନୁସାରେ ମହାପୁରୁଷ ମଧୁଦାସ ଦିନେ ପଖାଳ ଖାଉଥିବା ସମୟରେ ଜନୈକ ଭକ୍ତ ପେଟ ବ୍ୟାଧି ସମସ୍ୟା ନେଇ ତାଙ୍କ ପାଖକୁ ଆସିଥିଲେ । ବାବା ମଧୁଦାସ ଖାଇସାରିବା ପରେ ବଳକା ତୋରାଣିରୁ ତାଙ୍କୁ କିଛି ପିଇବାକୁ ଦେଇଥିଲେ । ସଙ୍ଗେସଙ୍ଗେ ଭକ୍ତ ଜଣଙ୍କର ପେଟବ୍ୟାଧି ଭଲ ହୋଇଯାଇଥିଲା । ସେବେଠାରୁ ମଠରେ ଉକ୍ତ ତୋରାଣିକୁ ଏକ ମାଟିପାତ୍ରରେ ରଖାଯାଇ ସେଥିରେ ପ୍ରତ୍ୟେକ ଦିନ ମଠରେ ରନ୍ଧାଯାଉଥିବା ଭାତର ପେଜକୁ ମିଶାଯାଇଥାଏ । ସେସବୁକୁ ପେଟ ରୋଗରେ ପୀଡିତ ଭକ୍ତଙ୍କୁ ପାନ କରିବାକୁ ଦିଆଯାଏ ।

ଗୁପ୍ତକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ଏହି ପୀଠରେ ମହାପୁରୁଷ ମଧୁଦାସଙ୍କ ସମେତ ସାତ ପିଢି ଧରି ମଠରେ ରହୁଥିବା ମହାପୁରୁଷ ମାନେ ପୂଜା ପାଆନ୍ତି । ମଠ ପରିସରରେ ୧୩ ଟି କେଳିକଦମ୍ବ ଗଛ ସଦାସର୍ବଦା ରହିଥାଏ । କେବଳ ସେତିକି ନୁହେଁ ଏଠାରେ ସାତ ମୁଣ୍ଡିଆ ଦେଉଳ ରହିଥିବା ବେଳେ ପଶ୍ଚିମା ହନୁମାନ ମୂର୍ତ୍ତି ରହିଛି । ପୁରାଣ ପ୍ରସିଦ୍ଧ ଏହି ସ୍ଥାନକୁ ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଭୋଜିଭାତ ପାଇଁ ପ୍ରକୃଷ୍ଟ ସ୍ଥାନ ରହିଥିଲେ ମଧ୍ୟ ଏଠାରେ ପାନୀୟ ଜଳର ଘୋର ଅଭାବ । ଏଠାକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଅନ୍ୟପଟେ ପୀଠର ଉନ୍ନତିକରଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ । ସନ୍ଥ ଅରକ୍ଷିତ ଦାସଙ୍କ ଶିଷ୍ୟ ମଧୁ ଦାସଙ୍କ ପୀଠର ଉନ୍ନତିକରଣ କରିବାକୁ ସାଧାରଣରେ ଦାବି ହୋଇଛି ।

Latest Posts

Don't Miss