ସ୍କଟଲାଣ୍ଡର ଏକ ସମୁଦ୍ର କୂଳରୁ କିଛିଦିନ ପୂର୍ବରୁ ଏକ ଅଜବ ଧରଣର ଜୀବର ଅବଶେଷ ମିଳିଥିଲା । ଉକ୍ତ ଜୀବର ୭ଟି ହାତ ରହିଥିବା ବେଳେ ଉକ୍ତ ଜୀବ ଗଭୀର ସମୁଦ୍ରରୁ ମିଳିଥିଲା । ଉକ୍ତ ଜୀବକୁ ନେଇ ବୈଜ୍ଞାନିକମାନେ ବି ଚକିତ ହୋଇଯାଇଥିଲେ । ୭ଟି ହାତ ଥିବା ଜୀବ ବୋଧହୁଏ କେହି ଦେଖିନଥିବେ । ସ୍କଟଲାଣ୍ଡର ଏବରଡୀନଶାୟରର ଏକ ସମୁଦ୍ର ତଟରୁ ଏହି ୭ଟି ହାତ ଥିବା ଜୀବ ମିଳିଥିଲା । ଉକ୍ତ ଜୀବଟି ଦେଖିବାକୁ ଅକ୍ଟୋପସ ପରି ଥିଲା । ବିଶେଷଜ୍ଞମାନେ ତାହାକୁ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ, ତାହା ଏକ ରେୟର ଓ ଅସାମାନ୍ୟ ଜୀବ, ଯେ କି ସମୁଦ୍ରର ଗଭୀରରେ ରହିଥାଏ ।
ରିପୋର୍ଟ ମୁତାବକ, ନଭେମ୍ବର ୩୦ରେ ଏଲୋନ ନିକଟସ୍ଥ କୋଲିଏଷ୍ଟନର ଫୋରବୀ ନ୍ୟାସନାଲ ନେଚର ରିଜର୍ଭରେ ଜଣେ ସାଧାରଣ ନାଗରିକଙ୍କୁ ଅକ୍ଟୋପସ ପରି ଏକ ଜୀବନର ଅବଶେଷ ମିଳିଥିଲା । ଜୀବବୈଜ୍ଞାନିକମାନେ ଏହାର ଯାଞ୍ଚ ପରେ ଅକ୍ଟୋପସ ଭାବେ ତାକୁ ଚିହ୍ନଟ କରିଥିଲେ । ତାହା ଅକ୍ଟୋପସର ଏକ ପ୍ରଜାତି ଓ ତା’ର ୭ଟି ହାତ ରହିଥିଲା ।
ଏହି ପ୍ରଜାତି ସମୁଦ୍ର ପୃଷ୍ଠ ଠାରୁ ଶତାଧିକ ମିଟର ତଳେ ରହିଥାଏ ଓ ମଣିଷ ଠାରୁ ବଡ଼ ହୋଇଥାଏ । ଏହାର ଲମ୍ବ ୧୩ ଫୁଟ ବା ୪ ମିଟର ପର୍ଯ୍ୟନ୍ତ ହୋଇଥାଏ । ତେବେ ଜୀବଟି ସମୁଦ୍ର କୂଳକୁ ଆସିବାକୁ ନେଇ ନାନା ପ୍ରକାରର ଅନୁମାନ କରାଯାଉଛି । ମତ୍ସ୍ୟଜୀବୀମାନେ ଭୁଲରେ ତାକୁ ଧରିବା ପରେ ସମୁଦ୍ର କୂଳକୁ ଫୋପାଡ଼ି ଦେଇଥିବେ କିମ୍ବା କୌଣସି ହ୍ବେଲ ତାକୁ ମାରି ସମ୍ରଦ୍ର ପୃଷ୍ଠକୁ ନେଇ ଆସିଥିବ । ଏହାଛଡ଼ା ସେ ବାଟ ଭୁଲ ଯାଇଥିବ ବା ତା’ ଉପରେ ଅନ୍ୟ କୌଣସି ଜୀବ ହୁଏତ ଆକ୍ରମଣ କରିଥାଇପାରେ ।

