ନନ୍ଦିଘୋଷ ବ୍ୟୁରୋ: ଯାଜପୁର ୫୩ ନମ୍ବର ଜାତୀୟ ରାଜପଥର କଳିଙ୍ଗନଗର ଥାନା ବ୍ରାହ୍ମଣୀ ସେତୁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ସ୍ବାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ୬ ମାସର ଶିଶୁପୁତ୍ର ଗୁରୁତର । ଗୁରୁତର ଆହତ ଅବସ୍ଥାରେ ଶିଶୁପୁତ୍ରକୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ବେଳେ ଉତ୍ୟକ୍ତ ଲୋକେ ଚଣ୍ଡିଖୋଲ ଡ଼ୁବୁରୀ ରାସ୍ତା ଅବରୋଧ କରିଛନ୍ତି । ମୃତକ ସ୍ଥାନୀୟ ପଙ୍କପାଳ ଗ୍ରାମର ଜନ୍ମେଜୟ ଦଳେଇ ଓ ତାଙ୍କ ସ୍ତ୍ରୀ ବୈଶାଖୀ । ଦମ୍ପତି ନିଜ ୬ ମାସର ଶିଶୁପୁତ୍ରକୁ ନେଇ ଆଜି ସନ୍ଧ୍ୟାରେ କବାଟବନ୍ଧ ମେଡ଼ିକାଲକୁ ଯାଇଥିଲେ । ମେଡିକାଲରୁ ଘରକୁ ଫେରିବା ସମୟରେ ଘଟିଛି ଦୁର୍ଘଟଣା । ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବାରୁ ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣା ଘଟି ଲୋକଙ୍କ ଧନଜୀବନ ହାନି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

