ମନ୍ଦିର ଉନ୍ନୟନମୂଳକ କାମରେ ଘୋଟାଲା । ନିମ୍ନମାନର କାମ କରି କରାଯାଇଛି ଟଙ୍କା ହଡ଼ପ । ମନ୍ଦିର ସଭାପତି ଟଙ୍କା ହେରଫେର କରିଥିବା ଅଭିଯୋଗ । ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ ଆଛୁଲି ପଞ୍ଚାୟତରୁ ଆସିଛି ଏଭଳି କିଛି ସଙ୍ଗୀନ ଅଭିଯୋଗ । ଆଛୁଲି ଗାଁର ଜଗନ୍ନାଥ ମନ୍ଦିରର ଉନ୍ନତି ସାଙ୍ଗକୁ ଲୁହା ଗ୍ରୀଲ ଲଗାଇବା ପାଇଁ ସ୍ଥାନୀୟ ବିଧାୟକଙ୍କ ପାଣ୍ଠିରୁ କିଛି ଅନୁଦାନ ମିଳିଥିଲା । ସେହି ଟଙ୍କାରେ ମନ୍ଦିର ସଭାପତି ନିମ୍ନମାନର ଗ୍ରୀଲ ଲଗାଇଦେଇଛନ୍ତି । ତାହା ପୁଣି ସଂପୂର୍ଣ୍ଣ ଝୁଲନ୍ତା ଅବସ୍ଥାରେ ରହିଛି । ଫଳରେ ଯେକୌଣସି ସମୟରେ କିଛି ବି ଅଘଟଣ ଘଟିପାରେ ।
ଜଗନ୍ନାଥ ମନ୍ଦିର କମିଟି ସଭାପତି ଅରୁଣ ପଣ୍ଡା ବିଜେପିର ଜଣେ ସକ୍ରିୟ ନେତା । ତେଣୁ ପାୱାର ଦେଖାଇ ସେ ଗ୍ରାମବାସୀଙ୍କୁ ଅନ୍ଧାରରେ ରଖୁଛନ୍ତି । ମନ୍ଦିର ସଂପର୍କିତ ବିଭିନ୍ନ ପାଣ୍ଠିର ସଠିକ ତଥ୍ୟ ପ୍ରଦାନ ନକରି ଅର୍ଥ ଆତ୍ମସାତ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜଗନ୍ନାଥ ମନ୍ଦିରର ବ୍ଯାଙ୍କ ଖାତାରେ ପାଖାପାଖି ୧୦ ଲକ୍ଷ ଟଙ୍କା ଜମା ଥିଲା । ହେଲେ ସଭାପତି ଗ୍ରାମବାସୀଙ୍କୁ ନଜଣାଇ ୬ ଲକ୍ଷ ଟଙ୍କା ତାଙ୍କ ବ୍ୟକ୍ତିଗତ ବ୍ଯାଙ୍କ ଆକାଉଣ୍ଟରେ ରଖିଥିବା ଜାଣିବା ପରେ ବିଡିଓଙ୍କ ଦ୍ଵାରସ୍ଥ ହୋଇଥିଲେ । ସେପଟେ ଘଟଣାର ତଦନ୍ତ କରିବାକୁ ଅତିରିକ୍ତ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଡିଓ । ଦୁର୍ନୀତିଖୋର ସଭାପତିଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

