ନନ୍ଦିଘୋଷ ବ୍ୟୁରୋ: ଭାରତରେ ଅଛନ୍ତି ବିଶିଷ୍ଟ ଫୁଟବଲର ମେସି । ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର ଏବେ ଭାରତରେ ଅଛନ୍ତି । ତାଙ୍କର ଟିକେ ଝଲକ ପାଇଁ ଫ୍ୟାନ୍ସମାନେ ଚାହିଁ ବସିଛନ୍ତି । କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ପରେ ଏବେ ଦିଲ୍ଲୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମେସି । ତାଙ୍କୁ ଦେଖିବା ଲାଗି ସବୁଠି ଲାଗିଛି ଭିଡ଼ । ମେସି ଏବେ ଦିଲ୍ଲୀର ଲୀଲା ପ୍ୟାଲେସ ହୋଟେଲରେ ରହୁଛନ୍ତି । ତାଙ୍କ ଟିମ ମଧ୍ୟ ଏଠାରେ ଅଛନ୍ତି । ତାଙ୍କର ରହଣି ମୂଲ୍ୟ ଦିନକୁ ୩.୫ ଲକ୍ଷରୁ ୭ ଲକ୍ଷ ଟଙ୍କା ମଧ୍ୟରେ ରହିଛି ।
ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ଲୀଲା ପ୍ୟାଲେସରେ ତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କେବଳ ଚୟନିତ କିଛି କର୍ପୋରେଟ ଏବଂ ଭିଆଇପି ଅତିଥୀ ତାଙ୍କୁ ଦେଖା କରିପାରୁଛନ୍ତି । ତେବେ ଯଦି ମେସିଙ୍କ ସହ ହାତ ମିଳାଇବେ କିମ୍ବା କଥା ହେବାକୁ ଚାହିଁବେ ତାହେଲେ କୋଟିଏ ଟଙ୍କା ଖର୍ଚ୍ଚ ଦେବାକୁ ପଡ଼ିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଯେଉଁ ଟଙ୍କାରେ ମହଙ୍ଗା କାର ଅଡି ଏବଂ ମର୍ସଡିଜ୍ ହୋଇଯିବ ।
ସେପଟେ ଦିଲ୍ଲୀରେ ମେସିଙ୍କୁ ଦୁଇଟି ସ୍ବତନ୍ତ୍ର ଉପହାର ପ୍ରଦାନ କରାଯାଇଛି । ଆଇସିସି ମୁଖ୍ୟ ଜୟ ଶାହା ତାଙ୍କୁ ଭେଟି ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ବକପ ଲାଗି ଟିକେଟ ପ୍ରଦାନ କରିଛନ୍ତି । ଭାରତ-ଆମେରିକା ମ୍ୟାଚ ପାଇଁ ମେସିଙ୍କୁ ଟିକେଟ ଦିଆଯାଇଛି । ଏହାସହ ତାଙ୍କୁ ଏକ ସ୍ବତନ୍ତ୍ର ବ୍ୟାଟ ସହ ଟିମ ଇଣ୍ଡିଆର ଜର୍ସି ମଧ୍ୟ ପ୍ରଦାନ କରାଯାଇଛି । ସେପଟେ ମେସି ଭାରତକୁ ପ୍ରଂଶସା କରିଛନ୍ତି । ସେ କହିଛନ୍ତି କି, ଭାରତରେ ମୋତେ ମିଳିଥିବା ଭଲ ପାଇବା ପାଇଁ ମୁଁ କୃତଜ୍ଞ । ଏହାସହ ଅରୁଣ ଜେଟଲି ଷ୍ଟାଡିୟମରେ କହିଛନ୍ତି କି, ମୁଁ ଗୋଟିଏ ଦିନ ଫେରି ଆସିବି ଏବଂ ଭାରତରେ ଗୋଟିଏ ମ୍ୟାଚ ଖେଳିବ ।

