କୋଲକାତାରେ ଖେଳ ଓ ଖେଳାଳିଙ୍କୁ ନେଇ ହିଂସା ଓ ଉପଦ୍ରବର କଳଙ୍କିତ ଇତିହାସ
ନନ୍ଦିଘୋଷ ବ୍ୟୁରୋ: କୋଲକାତାର ସାଲ୍ଟଲେକ ଷ୍ଟାଡିୟମରେ ଫୁଟବାଲ ଷ୍ଟାର ଲିଓନେଲ ମେସିଙ୍କୁ ନେଇ ହୋଇଥିବା ହଙ୍ଗାମା ଦର୍ଶାଉଛି ଭାରତରେ ଫୁଟବଲ ଓ ଫୁଟବଲ ଷ୍ଟାରଙ୍କୁ ନେଇ ଲୋକେ କେତେ ପାଗଳ । ଆଉ ଏହି ଫୁଟବଲ ପ୍ରେମ ଭାରତୀୟଙ୍କ ଭିତରେ ବର୍ଷ ବର୍ଷ ଧରି ରହି ଆସିଛି । ଫୁଟବଲ ଖେଳରେ ଭାରତ ବହୁତ ପଛରେ ଥାଇପାରେ, ହେଲେ ଏହାକୁ ଭଲ ପାଉଥିବା ଲୋକଙ୍କ ଅଭାବ ଏ ଦେଶରେ ନାହିଁ । ଏମିତି ସ୍ଥିତିରେ ବିଶ୍ବ ବିଜୟୀ ଆର୍ଜେଣ୍ଟିନା ଦଳର ଷ୍ଟାର ଫୁଟବଲର ମେସି ଯେତେ ବେଳେ ଭାରତ ଆସିଛନ୍ତି, ତାଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ତ ନିଶ୍ଚିତ ରହିବ । ଡିସେମ୍ବର ୧୩ରେ ମେସି ଯେତେବେଳେ ସାଲ୍ଟଲେକ ଷ୍ଟାଡିୟମରେ ପହଞ୍ଚିଲେ ତାଙ୍କୁ ଦେଖିବାକୁ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଜମିଥିଲା । ହେଲେ କିଛି ସମୟ ମଧ୍ୟରେ ପୂରା ଷ୍ଟାଡିୟମ ରଣକ୍ଷେତ୍ର ପାଲଟି ଗଲା । ହେଲେ ଜାଣିଛନ୍ତି କି ଖେଳ ଓ ଖେଳାଳିଙ୍କୁ ନେଇ କୋଲକାତାରେ ଏମିତି ସ୍ଥିତି ଉପୁଜିବା ଓ ଲୋକଙ୍କ ଜୀବନ ଯିବା କିଛି ନୂଆ କଥା ନୁହେଁ । ଆସନ୍ତୁ, ଜାଣିବା କୋକଲତାରେ ଷ୍ଟାଡିୟମରେ ହୋଇଥିବା ଦୁର୍ଘଟଣା ଓ ହିଂସାର ପୁରୁଣା ଇତିହାସ ।
ଇଡେନ ଗାର୍ଡେନରେ ହିଂସା, ଦଳା ଚକଟା ଓ ମୃତ୍ୟୁ
ସାଲ୍ଟଲେକ ଷ୍ଟାଡିୟମ ନିର୍ମାଣ ହେବା ପୂର୍ବରୁ ଇଡେନ ଗାର୍ଡେନରେ ହିଁ ସମସ୍ତ ଫୁଟବଲ ମ୍ୟାଚ ଖେଳା ଯାଉଥିଲା । ୧୯୮୦ ଅଗଷ୍ଟ ୧୬ରେ ଏମିତି ଏକ ମ୍ୟାଚ୍ ଏଠାରେ ଖେଳାଯାଇଥିଲା । ଯେଉଁଥିରେ ସହରର ଦୁଇଟି ବଡ଼ ଟିମ୍ କୋଲକାତା ଡର୍ବି ନାଁରେ ପ୍ରସିଦ୍ଧ ଇଷ୍ଟ ବେଙ୍ଗଲ ଓ ମୋହନ ବାଗାନ ମଧ୍ୟରେ ମ୍ୟାଚ୍ ଦେଖିବାକୁ ପୂରା ଷ୍ଟାଡିୟମ ଖଚାଖଚ ଭିଡ଼ ହୋଇଥିଲା । କୋଲକାତା ଫୁଟବଲ ଲିଗର ଏହି ମ୍ୟାଚରେ ରେଫରୀଙ୍କ ଗୋଟିଏ ନିଷ୍ପତ୍ତିକୁ ନେଇ ଦୁଇ ଦଳର ପ୍ରଶଂସକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଊର । ଆଉ ମାତ୍ର କିଛି ମିନିଟରେ ଏହି ଆକ୍ରୋଶ ଯୁକ୍ତିତର୍କରୁ ହାତାହାତି ପର୍ଯ୍ୟନ୍ତ ଚାଲିଯାଇଥିଲା । ଏହାପରେ ଦୁଇ ଦଳର ପ୍ରଶଂସକଙ୍କ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ଆଉ ଏହି ଗଣ୍ଡଗୋଳ ଓ ଧାଁଦୌଡ଼ରେ ୧୬ ଜଣ ଫୁଟବଲ ପ୍ରଶଂସକଙ୍କ ମୃତ୍ୟୁ ଘଟିଥିଲା ।
ଖେଳାଳିଙ୍କ ମଧ୍ୟରେ ଲଢ଼େଇ
୨୦୦୧ ଅକ୍ଟୋବର ୭ ତାରିଖ । ସାଲ୍ଟଲେକ ଷ୍ଟାଡିୟମରେ ଏମିତି କିଛି ଦେଖିବାକୁ ମିଳିଥିଲା ଯାହାର କଳ୍ପନା କେହି କରି ନଥିବେ । ଆଇଏଫଏ ସିଲ୍ଡ ଫାଇନାଲରେ ଷ୍ଟ ବେଙ୍ଗଲ ଓ ବ୍ରାଜିଲର କ୍ଲବ ପାଲମିରାଜ ମଧ୍ୟରେ ଟକ୍କର ହେଉଥିଲା । ପ୍ରାୟ ଅଧ ଘଣ୍ଟାଏ ଖେଳ ପରେ ପାଲମିରାଜ ୧-୦ରେ ଆଗୁଆ ଥିଲା । ଏହି ସମୟରେ ଜଣେ ବ୍ରାଜିଲ ଖେଳାଳି ଇଷ୍ଟ ବେଙ୍ଗଲ ଖେଳାଳିଙ୍କୁ ଟକ୍କର ମାରିଥିଲେ । ଏହାପରେ ପୂରା ସ୍ଥିତି ବିଗିଡ଼ି ଯାଇଥିଲା । ଇଷ୍ଟ ବେଙ୍ଗଲର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ ପଡ଼ିଆରେ ପହଞ୍ଚି ଯାଇଥିଲେ । ଏହା ଦେଖି ପାଲମିରାଜ ଖେଳାଳି ଓ କୋଚିଂ ଷ୍ଟାଫ୍ ହାତରେ ବାଡି ଓ ଚେୟାର ଧରି ପଡ଼ିଆରେ ପହଞ୍ଚି ଯାଇଥିଲା । ଆଉ ଚାହୁଁଚାହୁଁ ହାତହାତି ଆରମ୍ଭ ହୋଇଯାଇଥିଲା । ସ୍ଥିତି ବିଗୁଡୁ ଥିବା ଦେଖି ପୋଲିସ ମୈଦାନରେ ଏଣ୍ଟ୍ରି ମାରିବା ସହ ଲାଠିଚାର୍ଜ କରିଥିଲା । ପୋଲିସ ଟାର୍ଗେଟରେ ବିଶେଷ କରି ବ୍ରାଜିଲ ଖେଳାଳି ଓ ତାଙ୍କ କୋଚ୍ ଥିଲେ । କାରଣ ସେମାନେ ବହୁତ ଉତ୍ତେଜିତ ଅବସ୍ଥାରେ ଥିଲେ । ଶେଷରେ ବ୍ରାଜିଲ ଖେଳାଳିଙ୍କୁ ଡ୍ରେସିଂରୁମ୍ ପଠାଇବାକୁ ପୋଲିସ ସକ୍ଷମ ହୋଇଥିଲା ଓ ଫାଇନାଲ ମ୍ୟାଚ୍ ବନ୍ଦ ହୋଇଥିଲା ।
ବିଶ୍ବକପ ସେମିଫାଇନାଲ, ଷ୍ଟାଡିୟମରେ ନିଆଁ
କେବଳ ଫୁଟବଲ ନୁହେଁ, କ୍ରିକେଟ ମ୍ୟାଚରେ ବି କୋଲକାତାରେ ବିଭିନ୍ନ ସମୟରେ ଉତ୍ତେଜନା ଦେଖିବାକୁ ମିଳିଛି । ୧୯୯୬ରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ବିଶ୍ବକପ୍ ସେମିଫାଇନାଲ ଖେଳାଯାଉଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ହାରିବା ସ୍ଥିତିକୁ ଚାଲି ଆସିଥିଲା । ଯାହାକୁ ଷ୍ଟାଡିୟମରେ ବସିଥିବା ଦର୍ଶକ ଗ୍ରହଣ କରିପାରି ନଥିଲେ । କିଛି ଦର୍ଶକ ଷ୍ଟାଡିୟମରେ ନିଆଁ ଲଗାଇ ଦେଇଥିଲେ । ଯାହାକୁ ଦେଖି ଅନ୍ୟ ଦର୍ଶକ ଓ ସୁରକ୍ଷାକର୍ମୀଙ୍କ ହୋସ ଉଡିଯାଇଥିଲା । ସେହିଠାରେ ହିଁ ମ୍ୟାଚକୁ ବନ୍ଦ କରାଯାଇଥିଲା । ଆଉ ଏହାପରେ ଖେଳାଳି ଆଉ ପଡ଼ିଆକୁ ଫେରି ନଥିଲେ ଓ ଖେଳକୁ ବନ୍ଦ କରିବାକୁ ପଡ଼ିଥିଲା । ଏହି ମ୍ୟାଚରେ ଶ୍ରୀଲଙ୍କାକୁ ବିଜୟୀ ଘୋଷଣା କରାଯାଇଥିଲା ।
ନକଲି ଟିକେଟ ପାଇଁ ଜଳିଲା ନିଆଁ
୧୯୬୭ ଜାନୁଆରୀ ଏକ ତାରିଖ । ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିଲା ଟେଷ୍ଟ ମ୍ୟାଚ୍ । ମ୍ୟାଚର ଦ୍ବିତୀୟ ଦିନରେ ଖେଳ ଦେଖିବାକୁ ଷ୍ଟାଡିୟମରେ ୮୦ ହଜାରରୁ ଅଧିକ ଦର୍ଶକ ପହଞ୍ଚି ଯାଇଥିଲେ । ହେଲେ ଷ୍ଟାଡିୟମର କ୍ଷମତା ୫୭ ହଜାର ଥିଲା । କିଛି ଅଧିକାରୀ ନକଲି ଟିକେଟ ଛାପି ବ୍ଲାକରେ ବିକ୍ରି କରିଦେଇଥିଲେ । ଯେଉଁ କାରଣରୁ ଷ୍ଟାଡିୟମ କ୍ଷମତାଠାରୁ ଅଧିକ ଦର୍ଶକ ଚାଲି ଆସିଥିଲେ । ଷ୍ଟାଡିୟମରେ ଭିଡ଼ ବଢ଼ିବା ପରେ ଠେଲାପେଲା ଆରମ୍ଭ ହୋଇଥିଲା ଓ କିଛି ସମୟ ମଧ୍ୟରେ ସ୍ଥିତି ଅସମ୍ଭାଳ ହୋଇଯାଇଥିଲା । ଦର୍ଶକଙ୍କୁ କାବୁ କରିବାକୁ ପୋଲିସ ଲାଠିଚାର୍ଜ କରିଥିଲା । ହେଲେ ଦର୍ଶକ ବି ପୋଲିସକୁ ଆକ୍ରମଣ କରିଥିଲେ । ସ୍ଥିତି ଏମିତି ହୋଇଥିଲା ଦର୍ଶକ ଷ୍ଟାଡିୟମରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ । ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡ଼ିଥିଲା । ପରେ ସ୍ଥିତି ନିୟନ୍ତ୍ରଣ ହେବା ପରେ ପୁଣି ଖେଳ ଆରମ୍ଭ ହୋଇଥିଲା ।
ସଚିନଙ୍କ ଓ୍ବିକେଟକୁ ନେଇ ବୋବାଲ୍
୧୯୯୯ରେ ଇଡେନ ଗାର୍ଡନରେ ପୁଣି ବୋବାଲ ଦେଖିବାକୁ ମିଳିଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ସଚିନ ତେନ୍ଦୁଲକର ଆଉଟ ହେବା ପରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା । ସଚିନ ତୃତୀୟ ରନ୍ ନେଉଥିବା ବେଳେ କ୍ରିଜରେ ସୋଏବ ଅଖତରଙ୍କ ସହ ଧକ୍କା ହୋଇଥିଲା ଓ ସେ ପଡ଼ି ଯାଇଥିଲେ । ବଲ୍ ଷ୍ଟମରେ ବାଜିଥିଲା ଓ ଥାର୍ଡ ଅମ୍ପେୟାର ସଚିନଙ୍କୁ ଆଉଟ୍ ଘୋଷଣା କରିଥିଲେ । ଯାହାକୁ ନେଇ ପ୍ରଶଂସକଙ୍କ ରାଗ ପଞ୍ଚମ ହୋଇଯାଇଥିଲା । କିଛି ଦର୍ଶକ ପଡ଼ିଆ ଭିତରକୁ ପଶି ଯାଇଥିବା ବେଳେ କିଛି ଭଙ୍ଗାରୁଜା ଆରମ୍ଭ କରି ଦେଇଥିଲେ । ହେଲେ ଏଥର ସୁରକ୍ଷାକର୍ମୀ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇଥିଲା । ବିଶୃଙ୍ଖଳିତ ଆଚରଣ କରୁଥିବା ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାର କରିଦିଆଯାଇଥିଲା ।

