ଜୟପୁର : ଦାରିଦ୍ର୍ୟ ହ୍ରାସ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ । ତୁର୍କୀରେ ଏକାଠି ହେଲେ ୭୦ ଦେଶର ପ୍ରତିନିଧି । ମିଳିତ ଜାତିସଂଘର ଅନ୍ତର୍ଜାତୀୟ ସମ୍ମିଳନୀରେ ସାମିଲ ହେଲେ ଜୟପୁର ଝିଅ । ୭ ମହତ୍ତ୍ବପୂର୍ଣ୍ଣ ପରାମର୍ଶ ରଖି ପ୍ରଶଂସା ସାଉଁଟିଲେ ଶତାବ୍ଦୀ ମିଶ୍ର । କୋରାପୁଟ ଜିଲ୍ଲା ଜୟପୁରର ଝିଅ ଡାକ୍ତର ଶତାବ୍ଦୀ ମିଶ୍ର । ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଭାଗ ଅଧିକାରୀ ଭାବେ କାର୍ଯ୍ୟରତ । ତୁର୍କୀର ଇସ୍ତାନବୁଲରେ ମିଳିତ ଜାତିସଂଘ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତ ପାଇଁ ପ୍ରତିନିଧିତ୍ବ କରିଛନ୍ତି । ୨୦ରୁ ଅଧିକ ଆଶାୟୀଙ୍କ ମଧ୍ଯରୁ ଶତାବ୍ଦୀଙ୍କୁ ମନୋନିତ କରିଥିଲା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ୩ ଦିନିଆ ସମ୍ମିଳନୀରେ ଭାଗ ନେଇ ଜଳବାୟୁ ପରିବର୍ତ୍ତନର ପ୍ରଭାବ ରୋକିବାକୁ କଣ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଦେଇଥି ୭ ପରାମର୍ଶ । ସମ୍ମିଳନୀରେ ବିଶ୍ବର ୭୦ଟି ଦେଶ ଅଂଶଗ୍ରହଣ କରିଥିବା ବେଳେ ୭ଟି ଲେଖାଁଏ ଦେଶକୁ ନେଇ ଗୋଟିଏ ଟିମ୍ ଗଠନ ହୋଇଥିଲା । ସମ୍ମିଳନୀ ପରେ ଆହୁରି ୧୨ ଦିନ ଧରି ଶତାବ୍ଦୀ ତୁର୍କୀରେ ରହି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ଏହାର ନିରାକରଣ ଦିଗରେ ଅନ୍ୟ ଦେଶ ଗୁଡ଼ିକ କେଉଁ ପଦକ୍ଷେପ ନେଇଛନ୍ତି ସେ ନେଇ ଅନୁଧ୍ୟାନ କରିଥିଲେ ।
ଭାରତର ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଗୁଡ଼ିକରେ ପ୍ରାକୃତିକ ବିପର୍ଯ୍ଯୟ ଅର୍ଥନୈତିକ ସ୍ଥିତି ଉପରେ ପକାଉଛି ଗଭୀର ପ୍ରଭାବ । ଏହାର ମୁକାବିଲା ପାଇଁ ଭାରତ ୭ଟି ପ୍ରମୁଖ ପଦକ୍ଷେପ ମାଧ୍ୟମରେ ଦାରିଦ୍ର୍ୟ ହ୍ରାସ ସହ ଜଳବାୟୁ ସ୍ଥିରତା କ୍ଷେତ୍ରରେ ପ୍ରୟାସ ଆରମ୍ଭ କରିଛି । ଏହି ସନ୍ଦର୍ଭରେ ୭ଟି ମହତ୍ବପୂର୍ଣ୍ଣ ପରାମର୍ଶ ଦେଇ ସାଉଁଟିଛନ୍ତି ଶତାବ୍ଦୀ । ପ୍ରସ୍ତୁତି ସମୟରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ ପାଢ଼ୀ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀନାଥ ମିଶ୍ର ଓ ଅବସରପ୍ରାପ୍ତ କୃଷି ଅଧିକାରୀ ଜି. ଭେଙ୍କଟ ରେଡ୍ଡୀ ତାଙ୍କୁ ସହାୟତା କରିଥିଲେ । ଆଲୋଚନାଚକ୍ରରେ ଭାରତ, ଚାଇନା, କାତାର, ଦକ୍ଷିଣ ଆଫ୍ରିକା, ଫିଲଫାଇନ୍ସ, ଭିଏତନାମା, ଶ୍ରୀଲଙ୍କାଙ୍କୁ ନେଇ ଗଠିତ ଟିମର ନେତୃତ୍ବ ନେଇଥିଲେ ଶତାବ୍ଦୀ ।

