ନନ୍ଦିଘୋଷ ବ୍ୟୁରୋ : ନୀଳଗିରି ଉପଖଣ୍ଡ ବେଗୁନିଆ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଗୋଡରେ ବେଡି ପକାଇବା ଘଟଣାରେ ଆକ୍ସନ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଆସିଷ୍ଟାଣ୍ଟ ଶିକ୍ଷକଙ୍କ ଉପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଉଭୟଙ୍କୁ ନିଲମ୍ବନ କରିଛନ୍ତି ଡିଇଓ । ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ଉପଜିଲ୍ଲାପାଳ ।
ଅମାନୁଷିକ, ଅମାନବୀୟ, ଅକଥନୀୟ। ମଣିଷ ଭୁଲିଗଲା ହିତାହିତ ଜ୍ଞାନ। ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଗୋଡ଼ରେ ପକାଇଲା ବେଡି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ବାଲେଶ୍ବର ନୀଳଗିରି ଉପଖଣ୍ଡ ବେଗୁନିଆ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ । ଦେଖନ୍ତୁ ଏହି ଦୃଶ୍ୟକୁ କିଭଳି ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଗୋଡରେ ବେଡି ପକାଯାଇଛି। ତାଙ୍କୁ କ୍ଲାସ କରିବା ପାଇଁ ଦିଆଯାଉନାହିଁ । ପରଦିନ ଭିଡିଓ ପ୍ରଘଟ ପରେ ତାଙ୍କୁ ମୁକ୍ତି କରାଯାଇଥିଲା । ଘଟଣାର ତଦନ୍ତ ପାଇଁ ନୀଳଗିରି ଉପଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ସ୍କୁଲରେ ପହଞ୍ଚି ତଦନ୍ତ କରିଥଲେ । କାର୍ଯ୍ୟରେ ଅବହେଳା ପାଇଁ ପ୍ରଧାନ ଶିକ୍ଷକ ରଘୁନାଥ ବୁଗୁଡାଇ ଓ ସହକାରୀ ଶିକ୍ଷକ ଯତୀନ ପରିଡ଼ାଙ୍କୁ ନିଲମ୍ବନ କରାଯାଇଛି ।
ସେପଟେ ବିଦ୍ୟାଳୟରୁ ଛାତ୍ର ଜଣକ ଲୁଚି ପଳାଇ ଯାଉଥିବା କାରଣରୁ ଛାତ୍ରଙ୍କ ବାପା ସ୍କୁଲ ଆସି ତାଙ୍କ ଗୋଡରେ ବେଡି ପକାଇବା ଥିବା ସ୍ବୀକାର କରିଥିଲେ । ତେବେ ବିଦ୍ୟାଳୟରେ ପଶି ଛାତ୍ରଙ୍କ ଗୋଡ଼ରେ ବେଡି ପକା ଯାଉଥିଲାବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ କଣ କରୁଥିଲେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ଶିକ୍ଷାର ମନ୍ଦିରରେ ହିଂସାର ସ୍ଥାନ ନାହିଁ । ଯେଉଁ ବିଦ୍ୟାଳୟରେ ଏପରି ଘଟଣା ଘଟୁଛି ସେହି ଶିକ୍ଷକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ।

