ନନ୍ଦିଘୋଷ ବ୍ୟୁରୋ : ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା। ଡାକ୍ତରଖାନାରେ ନାହାନ୍ତି ସ୍ଥାୟୀ ଡାକ୍ତର । ଜଣେ ଫାର୍ମାସିଷ୍ଟ ଆଉ ଜଣେ ଆୟୁଷ ଡାକ୍ତରଙ୍କ ଦ୍ଵାରା ଚାଲିଛି ଚିକିତ୍ସାଳୟ । ଆମେ କେଉଁ ଉପାନ୍ତ ଅଞ୍ଚଳ କଥା କହୁନାହୁଁ । ଖୋଦ ରାଜଧାନୀ ଉପକଣ୍ଠ ଚନ୍ଦକା ଅଭୟାରଣ୍ୟକୁ ଲାଗିଥିବା ଡାକ୍ତରଖାନାର ନାହାନ୍ତି ସ୍ଥାୟୀ ଡାକ୍ତର । ୪ଟି ଗ୍ରାମ ପଞ୍ଚାୟତର ୨୦ହଜାରରୁ ଉର୍ଦ୍ଧ ଲୋକେ ଏହି ମେଡିକାଲ ଉପରେ ନିର୍ଭର କରିଥାନ୍ତି । ହେଲେ ଆବଶ୍ୟକ ଡାକ୍ତର ନଥିବାରୁ ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ରୋଗୀ ସେବା ।
ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । ଡାକ୍ତରଖାନାରେ ନାହାନ୍ତି ସ୍ଥାୟୀ ଡାକ୍ତର । ଜଣେ ଫାର୍ମାସିଷ୍ଟ ଆଉ ଜଣେ ଆୟୁଷ ଡାକ୍ତରଙ୍କ ଦ୍ଵାରା ଚାଲିଛି ରୋଗୀସେବା । ଏ ହେଉଛି ରାଜଧାନୀ ଉପକଣ୍ଠ ବାଙ୍କୀ ଡମପଡ଼ା ବ୍ଲକ ତାଳବସ୍ତ ମେଡିକାଲର ଦୃଶ୍ୟ । ତାଳବସ୍ତ ଗ୍ରାମ ପଞ୍ଚାୟତ ସହିତ ଦୁଲଣାପୁର ଓ ଚନ୍ଦକା ଡମପଡ଼ାର ପାଞ୍ଚଟି ଗାଁର ଲୋକେ ଏହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥାନ୍ତି । ହେଲେ ଆବଶ୍ୟକ ଡାକ୍ତର ନଥିବାରୁ ଫାର୍ମାସିଷ୍ଟଙ୍କ ଭରସାରେ ଶହ ଶହ ଲୋକେ । ଫଳରେ ସମସ୍ୟା ଭୋଗିବା ସହ ଗୁରୁତର ଅବସ୍ଥାରେ କିଏ କଟକ, ତ କିଏ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ।
ତାଳବସ୍ତରେ ୧୯୮୯ ମସିହାରେ ପ୍ରତିଷ୍ଠା ହୋଇଥିଲା ମେଡିକାଲ । ଏଠାରେ ନିଯୁକ୍ତି ପାଉଥିବା ଡାକ୍ତର ମାସେ କିମ୍ବା ଦୁଇ ମାସ ପରେ ଉଚ୍ଚ ଶିକ୍ଷା ପାଇଁ ଚାଲିଯାଆନ୍ତି । ଫଳରେ ଫାର୍ମାସିଷ୍ଟଙ୍କ ଭରସାରେ ଆସୁଛନ୍ତି ରୋଗୀ । ବହୁ ଅଭିଯୋଗ ପରେ ଜଣେ ମହିଳା ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆ ଯାଇଛି । ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଫଳ ଶୂନ । ଅନ୍ୟପଟେ ଖୁବଶୀଘ୍ର ନୂତନ ସ୍ଥାୟୀ ଡାକ୍ତର ନିଯୁକ୍ତି କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।

