ନନ୍ଦିଘୋଷ ବ୍ୟୁରୋ: ଖସୁଛି ଟଙ୍କାର ମୂଲ୍ୟ। ଆମେରିକା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ରେକର୍ଡ଼ ସ୍ତରରେ ହ୍ରାସ ପାଇଛି। ଗୋଟିଏ ଡଲାର ମୂଲ୍ୟ ଏବେ ୯୦ ଟଙ୍କା ପାଖାପାଖି ପହଞ୍ଚିଲାଣି। ନିର୍ଦ୍ଦିଷ୍ଟ ଭାବେ କହିବାକୁ ଗଲେ ଆଜି ଡଲାରର ମୂଲ୍ୟ ୮୯.୮୭୪ ଟଙ୍କାରେ ପହଞ୍ଚିଛି। କିଛି ସମୟ ଆଗରୁ ଏହା ସର୍ବୋଚ୍ଚ ସ୍ତର ୮୯.୮୯୫ ଟଙ୍କା ଛୁଇଁଥିଲା। ଅର୍ଥାତ ପ୍ରାୟ ୯୦ ଟଙ୍କା ଆଡ଼କୁ ଗଲାଣି ଟଙ୍କାର ମୂଲ୍ୟ। ମାର୍କେଟ ଏକ୍ସପର୍ଟଙ୍କ ଅନୁସାରେ ଦିନକୁ ଦିନ ଡଲାର ଶକ୍ତିଶାଳୀ ହେଉଛି ଏବଂ ଦୁର୍ବଳ ହେଉଛି ଟଙ୍କା। ଅକ୍ଟୋବରରେ ଟ୍ରେଡ୍ ସେଫିସିଟ୍ ହେବାରୁ ସ୍ଥିତି ଆହୁରି ସଂଗୀନ ହୋଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ହ୍ରାସ ହେବା ଯୋଗୁଁ ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଘୋର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫକୁ ନେଇ ବିଶ୍ଵ ବଜାରରେ ବାଣିଜ୍ୟିକ ଯୁଦ୍ଧ ଲାଗି ରହିଛି। ଅର୍ଥନୀତି ବିଶେଷଜ୍ଞ ଆକଳନ କରିଛନ୍ତି, ଏହି ଧାରା ଆଗକୁ ବି ବଜାୟ ରହିବ। ଟଙ୍କା ମୂଲ୍ୟ ଆହୁରି ହ୍ରାସ ଘଟିବ। ଏପରିକି ଆମେରିକା ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଘଟି ୧୦୦ ଟଙ୍କାରେ ପହଞ୍ଚିପାରେ।

