ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ଗମ୍ଭୀର ହେଲାଣି ବାୟୁ ପ୍ରଦୂଷଣ । ଏହାକୁ ଦୃଷ୍ଟିରେ ରଖି କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି ଦିଲ୍ଲୀ ସରକାର । ଏଣିକି ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ । PM2.5 ଏବଂ PM10 ସଂଖ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ( CAQM ) ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଏବେ କେବଳ ୫୦ ପ୍ରତିଶତ କର୍ମଚାରୀଙ୍କୁ କାର୍ଯ୍ୟାଳୟକୁ ଡାକିବାକୁ ଅନୁମତି ଦିଆଯିବ । ବାକି ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବା ବାଧ୍ୟତାମୂଳକ କରାଯାଇଛି । ଦିଲ୍ଲୀର ବାୟୁ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନର ପର୍ଯ୍ୟାୟ-୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ । ସୁପ୍ରିମକୋର୍ଟରେ ଶୁଣାଣି ଏବଂ ଅଂଶୀଦାରମାନଙ୍କ ପରାମର୍ଶ ପରେ GRAP ସୂଚୀରେ ସଂଶୋଧନ କରିଛି CAQM । ପରିବେଶ ସୁରକ୍ଷା ଆଇନ, ୧୯୮୬ ର ଧାରା ୫ ଅନୁଯାୟୀ ଜାରି କରାଯାଇଥିବା ଏହି ନିର୍ଦ୍ଦେଶାବଳୀଗୁଡ଼ିକୁ GNCTD ର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଦିଲ୍ଲୀ ମଧ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଘରୋଇ କାର୍ଯ୍ୟାଳୟ ତୁରନ୍ତ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

