spot_img

Latest Posts

ଋଷିୟ ତେଲ ଉପରେ ଆମେରିକା ବ୍ୟାନ ବଢ଼ାଇଲା ଟେନସ୍, ଦୋହଲି ଯିବ କି ଭାରତର ତେଲ ସପ୍ଲାଏ ?

ଋଷିୟ ତେଲ ଉପରେ ଆମେରିକା ବ୍ୟାନ ବଢ଼ାଇଲା ଟେନସ୍, ଦୋହଲି ଯିବ କି ଭାରତର ତେଲ ସପ୍ଲାଏ ?

ନନ୍ଦିଘୋଷ ବ୍ୟୁରୋ: ଋଷର ପ୍ରମୁଖ ଅଶୋଧିତ ତେଲ କମ୍ପାନୀଙ୍କ ଉପରେ ଆମେରିକାର ନୂଆ ପ୍ରତିବନ୍ଧକ ଲାଗୁ ହେବା ପରେ ଏନର୍ଜି ମାର୍କେଟରେ ହଲଚଲ ଦେଖିବାକୁ ମିଳୁଛି । ବିଶେଷ କରି ଏହି ପ୍ରତିବନ୍ଧକ ଭାରତ ପାଇଁ ଚିନ୍ତା କାରଣ ପାଲଟିବାକୁ ଯାଉଛି । ବିଶ୍ଲେଷକଙ୍କ ମତରେ, ନିକଟ ଭବିଷ୍ୟତରେ ଭାରତକୁ ଋଷ ତେଲର ଆମଦାନୀ ଦ୍ରୁତଗତିରେ ହ୍ରାସ ପାଇବ । ହେଲେ ଏହା ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ । ରୋସନେଫ୍ଟ ଓ ଲୁକୋଇଲ ତଥା ଏମାନଙ୍କ ସହାୟକ କମ୍ପାନୀ ଉପରେ ୨୧ ନଭେମ୍ବରରୁ ଆମେରିକାର ପ୍ରତିବନ୍ଧକ ଲାଗୁ ହୋଇଛି । ଏମିତି ସ୍ଥିତିରେ ଏହି କମ୍ପାନୀଙ୍କ ପାଖରୁ ଅଶୋଧିତ ତେଲ କିଣିବା କି ବିକ୍ରି କରିବା ପ୍ରାୟତଃ ଅସମ୍ଭବ ହୋଇଯିବ ।

ଭାରତ ଚଳିତବର୍ଷ ପ୍ରତିଦିନ ହାରାହାରି ୧୭ ଲକ୍ଷ ବ୍ୟାରେଲ ତେଲ ଋଷରୁ ଆମଦାନୀ କରିଛି ଓ ପ୍ରତିବନ୍ଧକ ପୂର୍ବରୁ ଏହା ଦୃଢ଼ ସ୍ଥିତିରେ ରହିଥିଲା । ନଭେମ୍ବରରେ ଆମଦାନୀ ୧୮୧୯ ଲକ୍ଷ ବ୍ୟାରେଲ ପ୍ରତିଦିନ ରହିବା ଅନୁମାନ କରାଯାଉଛି । କାରଣ ରିଫାଇନାରୀ ଶସ୍ତା ତେଲ କିଣିବା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଆଗକୁ ଡିସେମ୍ବର ଓ ଜାନୁଆରୀରେ ଏହି ଆମଦାନୀ ନିଶ୍ଚିତ ଭାବେ ହ୍ରାସ ପାଇବ । ବିଶେଷଜ୍ଞଙ୍କ ଅନୁସାରେ, ଏହା ହ୍ରାସ ପାଇ ପ୍ରାୟ ୪ ଲକ୍ଷ ବ୍ୟାରେଲ ରହିପାରେ ।

ସୂଚନାଯୋଗ୍ୟ, ପଶ୍ଚିମ ଏସିଆ ତେଲ ଉପରେ ନର୍ଭର କରୁଥିବା ଭାରତ ୨୦୨୨ ଫେବୃଆରୀ ୟୁକ୍ରେନ୍ ଯୁଦ୍ଧ ପରଠାରୁ ଋଷରୁ ତେଲ ଆମଦାନୀ କରିବା ବହୁତ ବଢ଼ାଇ ଦେଇଛି । ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ପଶ୍ଚିମ ଦେଶଙ୍କ ପ୍ରତିବନ୍ଧକ ଓ ୟୁରୋପୀୟ ଆମଦାନୀ କମ ହେବା ପରେ ଋଷୀ ତେଲ କମ ଦାମରେ ମିଳିବା ଆରମ୍ଭ ହୋଇଥିଲା । ଯାହାର ଫାଇଦା ଭାରତ ଉଠାଇ ଥିଲା । ଏହି ସମୟରେ ଭାରତ ଋଷ ପାଖରୁ ଏକ ପ୍ରତିଶତ ଅଶୋଧିତ ତେଲ ଆମଦାନୀ କରୁଥିବା ବେଳେ ଏହା ବୃଦ୍ଧି ପାଇ ୪୦ ପ୍ରତିଶତରେ ପହଞ୍ଚିଗଲା । ଏହାସହ ଭାରତ ଋଷର ସବୁଠାରୁ ବଡ଼ ସପ୍ଲାୟର ବନି ଯାଇଥିଲା ।

ଋଷରୁ ତେଲ ଆମଦାନୀ ହେବ କମ

କେପ୍ଲରର ରିଫାଇନାରୀ ଓ ମାଣ୍ଡଲିଙ୍ଗର ମୁଖ୍ୟ ଅନୁସନ୍ଧାନ ବିଶ୍ଲେଷକ ସୁମିତ ରେତୋଲିଆ କହିଛନ୍ତି, ନିକଟ ଭବିଷ୍ୟତରେ ବିଶେଷ କରି ଡିସେମ୍ବର ଓ ଜାନୁଆରୀରେ ଋଷରୁ ଭାରତର ଅଶୋଧିତ ତେଲ ଆମଦାନୀ ହ୍ରାସ ପାଇବା ନେଇ ଆଶା କରୁଛୁ । ଅକ୍ଟୋବର ୨୧ରୁ ସପ୍ଲାଇ ଧିମା ହୋଇଛି । ହେଲେ ଆଗକୁ କ’ଣ ହେବ ଏବେଠାରୁ କହିବା ଠିକ ହେବନାହିଁ । ପ୍ରତିବନ୍ଧକ ଲାଗୁ ହେବା କାରଣରୁ ରିଲାୟନ୍ସ ଇଣ୍ଡଷ୍ଟ୍ରୀ, ଏଚପିସିଏଲ ମିତଲ ଏନର୍ଜି ଓ ମେଙ୍ଗାଲୁରୁ ରିଫାଇନାରୀ ପରି କମ୍ପାନୀ ଋଷରୁ ତେଲ ଆମଦାନୀ ବନ୍ଦ କରି ଦେଇଛନ୍ତି । କେବଳ ନାୟାରା ଏନର୍ଜି ଋଷରୁ ତେଲ ଆମଦାନୀ କରୁଛି । ଯାହା ରୋସନେଫ୍ଟ ସମର୍ଥିତ ଓ ୟୁରୋପୀୟ ସଙ୍ଘ ଦ୍ବାରା ଲଗାଯାଇଥିବା ପ୍ରତିବନ୍ଧକ ପରେ ଅନ୍ୟ ସର୍ତ୍ତରେ ଆପୂର୍ତ୍ତି କାଟିବା କାରଣରୁ ଋଷ ତେଲ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ ।

ରିତୋଲିଆ କହିଛନ୍ତି, ନାୟାରାର ବାଦିନେର ପ୍ଲାଣ୍ଟକୁ ଛାଡି ଅନ୍ୟ କୌଣସି ଭାରତୀୟ ରିଫାଇନାରୀ ରିକ୍ସ ନେବାକୁ ଚାହୁଁନାହାନ୍ତି । କମ୍ପାନୀମାନଙ୍କୁ ସେମାନଙ୍କ କଣ୍ଟାକ୍ଟ, ସପ୍ଲାଇ ରୁଟ୍, ମାଲିକାନା ଓ ଗୁଣବତ୍ତା ଚ୍ୟାନେଲକୁ ପୁନଃ ବ୍ୟବସ୍ଥିତ କରିବାକୁ ସମୟ ଲାଗିବ ।

ଋଷୀ ତେଲ ଭାରତକୁ କରିଛି ମାଲାମାଲ

ବିଶେଷଜ୍ଞଙ୍କ ମତରେ ଗତ ଦୁଇବର୍ଷ ମଧ୍ୟରେ ଶସ୍ତା ଋଷୀ ତେଲ ପାଇଁ ଭାରତୀୟ ରିଫାଇନାରୀ କମ୍ପାନୀ ବହୁତ ଲାଭ ଉଠାଇଛନ୍ତି । ଏହାସହ ଇଣ୍ଟରନ୍ୟାସନାଲ ମାର୍କେଟରେ ଅସ୍ଥିରତା ପରେ ବି ପେଟ୍ରୋଲ ଓ ଡିଜେଲର ଖୁଚୁରା ଦରକୁ ସ୍ଥିର ରଖିପାରିଛନ୍ତି । ଭାରତର ନିଜର ୮୮ ପ୍ରତିଶତ ତେଲ ଆବଶ୍ୟକତା ଆମଦାନୀରୁ ହିଁ ପୂରା କରିଥାଏ । ଆମେରିକାର ନୂଆ କଟକଣା ଲାଗୁ ପରେ ଭାରତର ଆମଦାନୀ ଅସ୍ଥିର ହେବା ସହ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି ।

Latest Posts

Don't Miss