spot_img

Latest Posts

ପର୍ଯ୍ୟଟକଙ୍କ ମନମୋହୁଛି ଗାଲିଗାବଦର ଜଳପ୍ରପାତ: ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ନାହିଁ କୌଣସି ବ୍ୟବସ୍ଥା

ପର୍ଯ୍ୟଟକଙ୍କ ମନମୋହୁଛି କୋରାପୁଟ ଜିଲ୍ଲାର ଗାଲିଗାବଦର ଜଳପ୍ରପାତ। ହେଲେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ନାହିଁ କୌଣସି ବ୍ୟବସ୍ଥା। ନାହିଁ ସେଫ୍ଟି ଗାର୍ଡ ଓ୍ବାଲ୍। ସୁଉଚ୍ଚ ପାହାଡ଼ରୁ ଝରୁଥୁବା ପାଣିକୁ ସ୍ପର୍ଶ କରିବାକୁ ଜଳପ୍ରପାତ ନିକଟକୁ ଯାଇ ଘଟୁଛି ଅଘଟଣ । ଅନେକ ପର୍ଯ୍ୟଟକଙ୍କ ଜୀବନ ବି ଯାଉଛି। ସୁରକ୍ଷା ପାଇଁ ଆବଶ୍ୟକ ଭିତ୍ତିଭୂମି ବ୍ୟବସ୍ଥା କରାଯାଇନାହିଁ। ଜଳ ପ୍ରପାତକୁ ଯିବା ଲାଗି ପକ୍କା ରାସ୍ତା ନାହିଁ। ପିକନିକ ଋତୁରେ ଜଳପ୍ରପାତରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ପାହାଡ଼ ପର୍ବତ ଘେରା ଏହି ପ୍ରାକୃତିକ ସୌନ୍ଦର୍ଯ୍ଯ ଉପଭୋଗ କରିବାକୁ ଛୁଟିଆସୁଛନ୍ତି ପର୍ଯ୍ୟଟକ। ହେଲେ ଆବଡ଼ା ଖାବଡ଼ା ରାସ୍ତା, ଖସଡ଼ା ପଥର, ଅସୁରକ୍ଷିତ ଗାଧୁଆ ସ୍ଥଳ ପର୍ଯ୍ୟଟକଙ୍କ ଲାଗି ବିପଦ ପାଲଟିଛି।

ପୂର୍ବଘାଟ ପର୍ବତମାଳାର ଅଙ୍କାବଙ୍କା ଘାଟି ରାସ୍ତା ଦେଇ ଗଲେ ବାଟରେ ପଡେ ଏହି ଝରଣା। ଉଚ୍ଚ ପାହାଡ଼ ଗୁମ୍ପାରୁ ଝରିଆସୁଥବା ଝରଣା ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ।। ରାଜ୍ୟ ଓ ରାଜ୍ୟ ବାହାରରୁ ପର୍ଯ୍ୟଟକ ଆସି ଝରଣାରେ ଗାଧୋଇବା ସହ ପିକନିକର ମଜା ଉଠାଇଥାନ୍ତି। ଆବଶ୍ୟକ ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଅନେକ ଦୁର୍ଘଟଣାର ଶିକାର ହୁଅନ୍ତି। କିଏ ପାଣିରେ ବୁଡି ତ ଆଉ କିଏ ତଳକୁ ଖସି ପ୍ରାଣ ହରାଇଥାନ୍ତି। ପ୍ରତିବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିଲେ ବି ସୁରକ୍ଷା ଲାଗି ପଦକ୍ଷେପ ନଆଯାଉନି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ସୁରକ୍ଷା ଓ ସୌନ୍ଦର୍ଯ୍ୟ ଦିଗରେ ତ୍ବରିତ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

Latest Posts

Don't Miss