ନନ୍ଦିଘୋଷ ବ୍ୟୁରୋ : ଚାଷୀଙ୍କ ପାଇଁ ସରକାରଙ୍କ କେତେ କ’ଣ ଯୋଜନା। କିନ୍ତୁ ଚାଷୀଙ୍କ ଅବସ୍ଥା କହିଲେ ନ ସରେ। କେତେବେଳେ ସାର ସମସ୍ୟା ତ କେତେବେଳେ ବିହନ ଅଭାବ। ଋଣ ସୁଝି ନପାରିବାରୁ ଚାଷୀ ଆତ୍ମହତ୍ୟା କରୁଥିବାର ଖବର ସାମ୍ନାକୁ ଆସୁଛି । ଯାଜପୁର ଜିଲ୍ଲା ବରୀ ବ୍ଲକରେ ଚାଷୀ ଚିନାବାଦାମ ଚାଷ କରିଥିବାବେଳେ ଏଯାଏଁ ମିଳିନି ବିହନ। ଯାହାକୁ ନେଇ ଚିନ୍ତାରେ ଚାଷୀ ।
କେତେ ଆଶା ନେଇ ଚିନାବାଦାମ ଚାଷ କରିବେ ବୋଲି ଭାବିଥିଲେ ଚାଷୀ। ଲାଭ ପାଇବା ସହ ପରିବାର ପ୍ରତିପୋଷଣ ଲାଗି କରିଥିଲେ ଆଶା। କିନ୍ତୁ ଏଯାଏଁ ଚାଷୀଙ୍କୁ ମିଳିଲାନି ବିହନ। ସରକାରଙ୍କ ପକ୍ଷରୁ ରିହାତି ଦରରେ ଚିନାବାଦାମ ବିହନକୁ ଅପେକ୍ଷା କରିଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକର ଚାଷୀ। ଚଳିତବର୍ଷ ଖରିଫ ଋତୁରେ ଚିନାବାଦାମ ଚାଷ ଲାଗି କ୍ଷେତ୍ର ପ୍ରସ୍ତୁତ କରିଛନ୍ତି ଚାଷୀ। ହେଲେ ବର୍ତ୍ତମାନ ସୁଦ୍ଧା ମିଳିନି ବିହନ। ବାଧ୍ୟ ହୋଇ ବେସରକାରୀ ସଂସ୍ଥାରୁ ଚଢ଼ା ଦରରେ ବିହନ କିଣୁଛି ଚାଷୀ।
ସରକାରୀ ବିହନ ମିଳୁ ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ୪୦ କିଲୋ ବିହନକୁ ୪ହଜାର ଟଙ୍କା ଦେଇ କିଣୁଛନ୍ତି । ଏପରିକି ଚାଷୀମାନେ କଳାବଜାରରୁ ଚଢାଦରରେ ସାର କିଣୁଛନ୍ତି। ବାହାର ସଂସ୍ଥାରୁ ବିହନ କିଣି ଠକେଇର ଶିକାର ହେଉଛନ୍ତି। ଏବେ ସୁଦ୍ଧା ବରୀ ବ୍ଲକ କୃଷି ବିଭାଗରେ କୌଣସି ପ୍ରକାର ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇନାହିଁ। ବରୀ ବ୍ଲକର ହଜାର ହଜାର ଏକର ଜମିରେ ହୋଇଥିବା ଚିନାବାଦାମ ଚାଷୀଙ୍କ ଅବସ୍ଥା ହୋଇଛି ଦୟନୀୟ। ଚିନାବାଦାମ ପରି ଲାଭଦାୟକ ଚାଷ କରି ପେଟ ପୋଷିବା ଲାଗି ଚାହିଁଛନ୍ତି ଚାଷୀ। ହେଲେ ସରକାରୀ ସ୍ଥାଣୁତା ସମସ୍ତଙ୍କ ଆଶାକୁ କରୁଛି ଚୂରମାର।

