ନନ୍ଦିଘୋଷ ବ୍ୟୁରୋ : ୧୦/୧୧ ବ୍ଲାଷ୍ଟ ଲାଗି ୨୦୨୩ରୁ ହୋଇଥିଲା ଯୋଜନା। କେବଳ ଦିଲ୍ଲୀ ନୁହେଁ ଦେଶର ବିଭିନ୍ନ ଭାଗରେ ବିସ୍ଫୋରଣ ଲାଗି ଜୈସ-ଏ-ମହମ୍ମଦ ସଂଗଠନ ପକ୍ଷରୁ ହୋଇଥିଲା ବ୍ଲୁପ୍ରିଣ୍ଟ। ଜେରା ବେଳେ ଏହା ସ୍ବୀକାର କରିଛନ୍ତି ଜଣେ ଅଭିଯୁକ୍ତ। ଏନଆଇଏ ହେପାଜତରେ ଥିବା ଡାକ୍ତର ମୁଜାମିଲ ସକିଲ ଜେରା ବେଳେ କହିଛି- ବିସ୍ଫୋରଣ ଲାଗି ଗତ ୨ ବର୍ଷ ଧରି ସେ ଯୋଜନା କରିଆସୁଥିଲା। ଏହି ୨ ବର୍ଷରେ ସେ ବିସ୍ଫୋରକ, ରିମୋଟ ଓ ବୋମା ତିଆରି ସାମଗ୍ରୀ ସଂଗ୍ରହ କରୁଥିଲା। ଏପରିକି ୟୁରିଆ ଓ ଆମୋନିୟମ ନାଇଟ୍ରେଟ କିଣିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ଅନୁସାରେ ମୁଜାମିଲ ୨୬ କୁଇଣ୍ଟାଲ ଏନପିକେ ଫର୍ଟିଲାଇଜର ୩ ଲକ୍ଷ ଟଙ୍କା ଦେଇ ଗୁରୁଗ୍ରାମ ଓ ହରିଆଣା ନୁହରୁ କ୍ରୟ କରିଥିଲା। ଫରିଦାବାଦରୁ ଇଲେକ୍ଟ୍ରୋନିକ ସାମଗ୍ରୀ ସେ କିଣିଥିଲା। ରାସାୟନିକ ପଦାର୍ଥ ସଞ୍ଚିତ କରି ରଖିବା ଲାଗି ସେ ଡିପ ଫ୍ରିଜ ବି କିଣିଥିଲା। ବିଭିନ୍ନ ସାମଗ୍ରୀକୁ ମିଶାଇବା ଲାଗି ସେ ଯେଉଁ ଫ୍ଲୋର ମିଲ ବ୍ୟବହାର କରୁଥିଲା ତାହାକୁ ବି ଜବତ କରାଯାଇଛି। ବିସ୍ଫୋରକ କ୍ରୟ ଲାଗି ୨୬ ଲକ୍ଷ ଟଙ୍କା ଯୋଗାଡ଼ କରାଯାଇଥିଲା। ଏହି ଟଙ୍କାକୁ ପରେ ଉମର ନବିକୁ ଦିଆଯାଇଥିଲା। ବିସ୍ଫୋରଣ ଯୋଜନା ଲାଗି ନିଜେ ଉମର ବି ୨ ଲକ୍ଷ ଟଙ୍କା ଦେଇଥିଲା। ମୁଜାମିଲ ସକିଲ ୫ ଲକ୍ଷ ଟଙ୍କା ଦେଇଥିବାବେଳେ ଆଦିଲ ରାଥେର ୮ ଲକ୍ଷ ଟଙ୍କା ଓ ମୁଜାଫର ରାଥରେ ୬ ଲକ୍ଷ ଟଙ୍କା ଦେଇଥିଲା। ସାହିନ ସକିଲ ଦେଇଥିଲା ୫ ଲକ୍ଷ ଟଙ୍କା। ସାଢ଼େ ୬ ଲକ୍ଷ ଟଙ୍କା ଦେଇ ମୁଜାମିଲ ଏକ AK-47 ରାଇଫଲ କ୍ରୟ କରିଥିଲା ଯାହାକୁ ଆଦିଲ ରାଥେରର ଲକରରୁ ଜବତ କରାଯାଇଛି। ତେହରିକ-ଇ-ତାଲିବାନ ପାକିସ୍ତାନ ସହ ସମ୍ପର୍କିତ ଓକାସାର ନିର୍ଦ୍ଦେଶ କ୍ରମେ ମୁଜାମିଲ, ଆଦିଲ ଓ ମୁଜାଫର ତୁର୍କୀ ଯାଇଥିଲେ। ଟେଲିଗ୍ରାମ ଜରିଆରେ ମୁଜାମିଲକୁ ଯୋଗାଯୋଗ କରିଥିଲା ଓକାସା। ଗତ ୧୦ ତାରିଖ ଲାଲକିଲ୍ଲା ନିକଟ ବିସ୍ଫୋରଣରେ ଆଇ-ଟ୍ବେଣ୍ଟି କାର ବିସ୍ଫୋରଣ ଘଟଣାରେ ଯାଇଥିଲା ୧୩ ଜୀବନ। ଆହତ ହୋଇଥିଲେ ୨୫ରୁ ଅଧିକ ଲୋକ।

