ପୁଣି ଡରାଇଲାଣି ସମ୍ଭାବ୍ୟ ବାତ୍ୟା । ଛାନିଆ ଚାଷୀକୂଳ । କିଏ ତରବରିଆ ଭାବେ ଧାନ କାଟି ନେଉଛି ତ କିଏ ଧାନ କାଟି ଖଳାରେ ସାଇତି ରଖୁଛି। ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲାର । ବର୍ଷା ଦାଉରୁ ଫସଲ ରକ୍ଷା ପାଇଁ ନିଜ କଷ୍ଟ ଅର୍ଜିତ ସମ୍ପତ୍ତିକୁ ତରବରିଆ ଭାବେ କାଟି ନେଉଛନ୍ତି ଜିଲ୍ଲାର ଅଧିକାଂଶ ଚାଷୀ । କ୍ଷେତରେ ଧାନ ପାଚି ଯାଇଥିବା ବେଳେ ଅଧିକ ମୂଲ ଲଗାଇ ଖଳାକୁ କାଟି ନେଉଛନ୍ତି । ଏ ହେଉଛନ୍ତି ସଦର ବ୍ଲକ କନ୍ଧମାଲି ଗାଁର କାନ୍ତାରାଓ କଣ୍ଟାବଂଶ । ଗତବର୍ଷ ବର୍ଷାରେ ତାଙ୍କର ୨ ଏକର ଧାନ ଚାଷ ପାଣିରେ ବୁଡି ଗଜା ହୋଇଯାଇଥିଲା । ଏବେ ବର୍ଷା ଭୟରେ ଧାନ କାଟି ସମସ୍ତ ଧାନକୁ ଖଳାରେ ସାଇତି ରଖୁଛନ୍ତି ।
କେବଳ ଧାନ ଚାଷ ନୁହେଁ ଜିଲ୍ଲାରେ ହୋଇଥିବା କପା, ମାଣ୍ଡିଆ, ଅଳସୀ, ଡାଲି ଜାତୀୟ ଫସଲ ଓ ପନିପରିବାକୁ ନେଇ ମଧ୍ୟ ଚାଷୀକୂଳ ଚିନ୍ତାରେ ପଡିଛନ୍ତି । ଗତ ବର୍ଷ ଲଘୁଚାପ ବର୍ଷାରେ ଅନେକ ଚାଷ ନଷ୍ଟ ହୋଇଥିବା ବେଳେ ଚାଷୀ ମାନେ କ୍ଷତିର ସାମ୍ନା କରିଥିଲେ । ସେହିପରି ବାତ୍ୟା ମୋନ୍ଥାର ପ୍ରଭାବରେ ମଧ୍ୟ ଚାଷୀ କ୍ଷତି ସହିଥିଲେ । ତେବେ ଆଗକୁ ଆଉ ଏକ ବାତ୍ୟା ଆଶଂକା ଥିବା ବେଳେ ଚାଷୀ ମାନଙ୍କୁ ସତର୍କ ରହିବାକୁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରତିବର୍ଷ ଅଦିନିଆ ବର୍ଷାରେ କ୍ଷତିର ସମ୍ମୁଖୀନ ହେଉଛନ୍ତି ରାୟଗଡା ଜିଲ୍ଲାର ଚାଷୀ । ତେବେ ଆଗକୁ ବର୍ଷାର ସମ୍ଭାବନା ରହିଥିବାରୁ ଏବେ ଠାରୁ ଚାଷୀ ମାନେ ସତର୍କ ହୋଇପଡିଛନ୍ତି ।

