ନନ୍ଦିଘୋଷ ବ୍ୟୁରୋ : ନୂଆପଡ଼ା ପରାଜୟ ପରେ କଂଗ୍ରେସରେ ବିବାଦ ତେଜିବାରେ ଲାଗିଛି । ବିଶେଷକରି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଦଳ ଖପ୍ପା ହୋଇଥିବା ପରି ଲାଗୁଛି । ଗତକାଲି ମହମ୍ମଦ ମୋକିମ ଏ ନେଇ ଶୃଙ୍ଖଳା କମିଟର ଦ୍ବାରସ୍ଥ ହୋଇଥିବାବେଳେ ଆଜି ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଭକ୍ତଙ୍କୁ ଘେରିଛନ୍ତି । ନିରଂଜନ ପ୍ରଶ୍ନ କରିଛନ୍ତି, ଦଳରେ ଯଦି ବିଭୀଷଣ ଅଛନ୍ତି ତେବେ ରାବଣ କିଏ ? ବିଭୀଷଣ ଯଦି ଚିହ୍ନଟ ହେବେ ତେବେ ରାବଣ କିଏ ତାହା ବି ଚିହ୍ନଟ ହେବା ଦରକାର। ଘର ଠିକ୍ ନଥାଇ ବାହାର ଳୋକଙ୍କୁ ଦାୟୀ କରିବା ଠିକ୍ ନୁହେଁ। ଦଳୀୟ ନେତାଙ୍କ କଣ ଭୁଲ ଅଛି ତାହା ଆଗେ ଜାଣିବା କଥା। ବଡ ଠାରୁ ଛୋଟ ନେତା ସମସ୍ତେ ଜାଣିବା ଦରକାର । ଯଦି କିଏ ବିଭୀଷଣ ଥାଆନ୍ତି ପିସିସି ସଭାପତି କାର୍ଯ୍ୟାନୁଷ୍ଠାନ ନେବା କଥା। ନହେଲେ ଦଳରେ ଶୃଙ୍ଖଳା ରହିବ ନାହିଁ। ନୂଆପଡ଼ା ସହ କଟକ ହିଂସାକୁ ଯୋଡିବା ଉଚିତ୍ ନୁହେଁ । କଂଗ୍ରେସ ଏକ ଧର୍ମ ନିରପେକ୍ଷ ଦଳ। ପିସିସି ସଭାପତି ପରିଶ୍ରମ କଲେ, ଆମେ ମଧ୍ୟ ନୂଆପଡ଼ା ଗଲୁ। ହେଲେ କଂଗ୍ରେସର ପରାଜୟ ହେଲା କାହିଁକି ତାହାର ସମୀକ୍ଷା ହେବା ଆବଶ୍ୟକ । ସଭାପତି କଂଗ୍ରେସକୁ ମଜଭୁତ କରିବା ପାଇଁ ଉଦ୍ୟମ କରୁଛନ୍ତି । ହେଲେ ସଫଳ ହୋଇନାହାନ୍ତି । ତୃଣମୂଳ ସ୍ତରରୁ ଦୁର୍ବଳ ଅଛୁ ବୋଲି, ତାହାର ପରିଣାମ ଆମେ ଭୋଗିଲୁ। ବାଦ ବିବାଦ କଂଗ୍ରେସ ପାଇଁ କିଛି ନୂଆ ନୁହେଁ ବୋଲି କହିଛନ୍ତି ନିରଂଜନ ।

