ନୀତୀଶଙ୍କ ମନ୍ତ୍ରିମଣ୍ଡଳ: ୩୧ କୋଟିର ସମ୍ପତ୍ତି ସହ ରମା ନିଷାଦ ସବୁଠାରୁ ଧନୀ ମନ୍ତ୍ରୀ, ମନ୍ତ୍ରିମଣ୍ଡଳରେ ପୁଅ-ଝିଅ-ପତ୍ନୀଙ୍କ ଦବଦବା
ନନ୍ଦିଘୋଷ ବ୍ୟୁରୋ: ଶପଥ ଗ୍ରହଣ ପରେ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳକୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । ଆଉ ଏହି ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି ତାଙ୍କ କୋଟିପତି ମନ୍ତ୍ରୀ ରମା ନିଷାଦ ଏବଂ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ନେତାଙ୍କ ପୁଅଝିଅ । ମୁଜଫରାବାଦର ଓରାଇ ବିଧାନସଭା ଆସନରୁ ବିଜେପି ଟିକେଟରେ ବିଧାୟକ ହୋଇଥିବା ରମା ନିଷାଦ ନୀତୀଶଙ୍କ କ୍ୟାବିନେଟର ସବୁଠାରୁ ଧନୀ ମନ୍ତ୍ରୀ ବୋଲି ଜଣାପଡିଛି । ନିର୍ବାଚନୀ ଆପିଡେଭିଟ ଅନୁସାରେ ରମା ନିଷାଦ ୩୧ କୋଟି ଟଙ୍କାର ମାଲିକ । ନୀତୀଶଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ୨୬ ବିଧାୟକଙ୍କ ମଧ୍ୟରୁ ୨୨ ଜଣ କୋଟିପତି । ବଖାରୀରୁ ଜିତିଥିବା ସଞ୍ଜୟ ପାସଓ୍ବାନଙ୍କ ପାଖରେ ସବୁଠାରୁ କମ ୨୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ସେହିପରି, ମନ୍ତ୍ରୀ ହୋଇଥିବା ଦୀପକ ପ୍ରକାଶଙ୍କ ସମ୍ପତ୍ତିକୁ ନେଇ କିଛି ତଥ୍ୟ ମିଳିପାରିନି ।
ନୀତୀଶଙ୍କ ସମ୍ପତ୍ତି କେତେ ?
ତଥ୍ୟ ଅନୁସାରେ ନୀତୀଶଙ୍କ ପାଖରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇ ୧.୬୪ କୋଟି ଟଙ୍କା ରହିଛି । ଗତ ୨୦ ବର୍ଷ ହେବ ନୀତୀଶ ବିହାରର ମୁଖ୍ୟମନ୍ତ୍ରୀ ରହି ଆଓିଛନ୍ତି । ପୂର୍ବ ଅପେକ୍ଷା ତାଙ୍କ ସମ୍ପତ୍ତି କମିଛି । ୨୦୧୫ରେ ନୀତୀଶଙ୍କ ପାଖରେ ୨ କୋଟି ଟଙ୍କାର ସମ୍ପତ୍ତି ଥିଲା ।
ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ବିଜୟ ସିହ୍ନା ଓ ସମ୍ପ୍ରାଟ ଚୌଧୁରୀଙ୍କ ପାଖରେ ୧୧ କୋଟି ଟଙ୍କା ଲେଖାଏଁର ସମ୍ପତ୍ତି ରହିଛି । ଲଖିସରାୟାରୁ ବିଧାୟକ ଭାବେ ଜିତିଥିବା ବିଜ୍ର ସିହ୍ନାଙ୍କ ପାଖରେ ୧୧.୬୨ କୋଟି ଟଙ୍କାର ସମ୍ପତ୍ତି ରହିଛି । ସେହିପରି ତାରାପୁରରୁ ବିଧାୟକ ହୋଇଥିବା ସମ୍ରାଟ ଚୌଧୁରୀଙ୍କ ପାରେ ୧୧.୩୪ କୋଟି ଟଙ୍କାର ସମ୍ପତ୍ତି ରହିଛି । ବିଜେପି ଅଧ୍ୟକ୍ଷ ଦିଲୀପ ଜୟସଓ୍ବାଲଙ୍କ ସମ୍ପତ୍ତି ୯ କୋଟି ପାଖାପାଖି ହେବ । ଜୟସଓ୍ବାଲଙ୍କୁ ମଧ୍ୟ ନୀତୀଶ କ୍ୟାବିନେଟରେ ସ୍ଥାନ ମିଳିଛି । ସେହିପରି ବିଜେପି କୋଟାରୁ ମନ୍ତ୍ରୀ ହୋଇଥିବା ମଙ୍ଗଳ ପାଣ୍ଡେ ଏବଂ ନୀତିନ ନବୀନଙ୍କ ପାଖରେ ୩ କୋଟି ଲେଖାଏଁ ଟଙ୍କାର ସମ୍ପତ୍ତି ରହିଛି ।
ଜେଡିୟୁ କୋଟାରେ ମନ୍ତ୍ରୀ ହୋଇଥିବା ସୁନିଲ କୁମାରଙ୍କ ସମ୍ପତ୍ତି ୫ କୋଟି ଟଙ୍କା ହୋଇଥିବା ବେଳେ ଶ୍ରବଣ କୁମାରଙ୍କର ୩ କୋଟି, ବିଜୟ ଚୌଧଉରୀଙ୍କର ୩ କୋଟି ଏବଂ ଲେସା ସିଂହଙ୍କର ୨ କୋଟି ଟଙ୍କାର ସମ୍ପତ୍ତି ରହିଛି । ମଦନ ସହନୀଙ୍କ ପାଖରେ ୨.୭୯ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ଜମୁଇରୁ ବିଧାୟକ ହୋଇଥିବା ଶ୍ରୀୟସୀ ସିଂହଙ୍କ ପାଖରେ ୭ କୋଟି ଟଙ୍କାର ସମ୍ପତ୍ତି ରହିଛି ।
ନୀତୀଶଙ୍କ କ୍ୟାବିନେଟରେ ପୁଅ-ଝିଅ-ପତ୍ନୀଙ୍କ ଦବଦବା
ନୀତୀଶଙ୍କ କ୍ୟାବିନେଟରେ ନେତାଙ୍କ ପୁଅ-ଝିଅଙ୍କ ଦବଦବା ଦେଖିବାକୁ ମିଳିଛି । ୨୬ ମନ୍ତ୍ରୀଙ୍କ ମଧ୍ୟରେ ୬ ଜଣ ନେତାଙ୍କ ପୁଅ-ଝିଅ ସାମିଲ ହୋଇଛନ୍ତି । ବାହୁବଳୀ ନେତା ମହାବୀର ଚୌଧୁରୀଙ୍କ ପୁଅ ଅଶୋକ ଚୌଧୁରୀଙ୍କୁ ଜେଡିୟୁ କୋଟାରୁ ମନ୍ତ୍ରିପଦ ମିଳିଛି । ସେହିପରି ଦିଗବିଜୟ ସିଂହଙ୍କ ଝିଅ ଶ୍ରୀୟସୀ ସିଂହଙ୍କୁ ବି କ୍ୟାବିନେଟରେ ସାମିଲ କରାଯାଇଛି । ନବୀନ ପ୍ରସାଦଙ୍କ ପୁଅ ନୀତିନ ନବୀନଙ୍କୁ ବିଜେପି କୋଟାରେ କ୍ୟାବିନେଟରେ ଜାଗା ମିଳିଛି । ସେହିପରି ଜୀତନ ରାମ ମାଞ୍ଝିଙ୍କ ପୁଅ ସନ୍ତୋଷ ସୁମନ, ଉପେନ୍ଦ୍ର କୁଶବାହାଙ୍କ ପୁଅ ଦୀପକ ପ୍ରକାଶ, ପୂର୍ବ ସାଂସଦ ଅଜୟ ନିଷାଦଙ୍କ ପତ୍ନୀ ରମା ନିଷାଦଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି ।
ସୂଚନାଯୋଗ୍ୟ, ୧୦ମ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳରେ ୨୬ ଜଣଙ୍କୁ ସାମିଲ କରାଯାଇଛି । ଏଥିରେ ବିଜେପିରୁ ୧୪ ଜଣ ଥିବା ବେଳେ, ଜେଡିୟୁରୁ ୮, ଏଲଜେପି (ଆର)ରୁ ୨ ଏବଂ ରାଲୋମା-ହମ କୋଟାରୁ ଜଣେ ଲେଖାଏଁଙ୍କୁ ସାମିଲ ହୋଇଛନ୍ତି ।

